ଭୁବନେଶ୍ୱର, : ବ୍ରହ୍ମପୁରରୁ ଧରାପଡ଼ିଥିବା ଏକ ଗଞ୍ଜେଇ ବୋଝେଇ କାର୍‌ରେ ବିଜେଡି ଲୋଗୋ ଲାଗିଛି। ବିଜୁ ଜନତା ଦଳର ଦଳୀୟ ଗାଡିରୁ ୮୪କେଜି ଗଞ୍ଜେଇ ଜବତ ହୋଇଛି । ସେହି ଗାଡିରେ ଆଗ ଓ ପଛରେ ବିଜେଡିର ଶଙ୍ଖ ଚିହ୍ନ ଲଗାଯାଇଛି । ଆଗରୁ ବିଜେଡିର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ନିଜର ଇସ୍ତଫା ପତ୍ରରେ ବିଜେଡି ଖଣ୍ଡପଡାରୁ ଜଣେ ଗଞ୍ଜେଇ ମାଫିଆଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛି ବୋଲି ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ବିଧାନସଭାରେ ନବୀନ ବାବୁ ଦିନେ ଗଞ୍ଜେଇ ମାଫିଆ ଭାବରେ ଯାହାଙ୍କ ନାମ ଉଲ୍ଲେଖ କରିଥିଲେ ତାଙ୍କର ଧର୍ମପତ୍ନୀଙ୍କୁ ସେ ବିଜେଡି ଟିକେଟ୍ ଦେଲେ, ଯାହା ପ୍ରମାଣିତ କରୁଛି ଯେ, ବିଜେଡି ଓ ଗଞ୍ଜେଇ ମାଫିଆଙ୍କ ସମ୍ପର୍କ ବେଶ୍ ଘନିଷ୍ଠ । ଆଗରୁ ବିଜେଡି ନିର୍ବାଚନ ଜିତିବା ପାଇଁ ହିଂସା ଓ ବ୍ୟାପକ କଳା ଟଙ୍କା ସହ ମଦର ସାହାରା ନେଉଥିଲା । ଏବେ ବିଜେଡି ପାଇଁ ନୂଆ ସାହାରା ଗଞ୍ଜେଇ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ,ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ଘନିଷ୍ଠ ସହଯୋଗୀ ଯାଜପୁରର ଝୁମୁରୀ ପାତ୍ର ନାମକ ଜଣେ ମହିଳାଙ୍କୁ ବ୍ରାଉନ ସୁଗାର କାରବାରରେ ଗିରଫ କରାଯାଇଥିଲା । ସେହିଭଳି ଜଗତସିଂହପୁର ୫ଜଣ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ନେତା ବ୍ରାଉନସୁଗାର ବ୍ୟବସାୟରେ ଗିରଫ ହୋଇଥିଲେ । ସେହିଭଳି ଜଳେଶ୍ୱର ଥାନାର ତତ୍‌କାଳୀନ ଆଇଆଇସି ମଧ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସୁରକ୍ଷା ଦେଉଥିବାର ଏକ ଫୋନ ରେକର୍ଡିଂ ଗଣମାଧ୍ୟମେ ପ୍ରସାରିତ ହୋଇଥିଲା । “ଆମ ଓଡ଼ିଶା ନବୀନ ଓଡିଶା”ର ଗତି କୁଆଡେ । ଓଡ଼ିଶାକୁ ଗଞ୍ଜେଇ, ବ୍ରାଉନସୁଗାରର ହବ୍ କରିବା ପାଇଁ ଚାହୁଁଛନ୍ତି କି ମୁଖ୍ୟମନ୍ତ୍ରୀ?
ଏବେ ନିର୍ବାଚନ ଚାଲିଛି । ମେ ୧ ରୁ ୨୩ତାରିଖ, ମାତ୍ର ୨୩ ଦିନ ଭିତରେ ଓଡ଼ିଶାରୁ ୨ ଲକ୍ଷ ୪୯ ହଜାର ୫୧୦ ଲିଟର ଚୋରା ବିଷାକ୍ତ ମଦ ଧରାପଡିଛି । ସେହିଭଳି ୪୧୦ କିଗ୍ରା ଭାଙ୍ଗ, ୨୯୫୧ କିଗ୍ରା ଗଞ୍ଜେଇ, ୨୫୫୮ ଗ୍ରାମର ହେରୋଇନ୍ ଜବତ ହୋଇଛି । ମାତ୍ର ୨୩ ଦିନ ଭିତରେ ଏତେ ବିପୁଳ ପରିମାଣର ନିଶା ଜବତ ହେବା ଘଟଣାରୁ ଅନୁମାନ କରାଯାଇ ପାରେ ଯେ, ଓଡ଼ିଶାର ସ୍ଥିତି କେତେ ସଙ୍ଗୀନ! ବିଜେଡିର “ଘରେ ଘରେ ଶଙ୍ଖ” ଶ୍ଳୋଗାନକୁ ସେମାନେ “ଘରେ ଘରେ ଗଞ୍ଜେଇ ଆଉ ମଦ” କରିବା ପାଇଁ ଚାହୁଁଛନ୍ତି । ଯୋଡି ଶଙ୍ଖକୁ ଭୋଟ ଦିଅ ବୋଲି ବିଜେଡିର ଗୁମାସ୍ତା ଭିକେ ପାଣ୍ଡିଆନ ବୁଲି ବୁଲି ପ୍ରଚାର କରୁଛନ୍ତି । ବାସ୍ତବରେ “ଯୋଡି ଶଙ୍ଖ”ର ଅର୍ଥ “ଗଞ୍ଜେଇ ଓ ମଦ” ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *