ରାଜ୍ୟର ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ଚବିଶ ଘଣ୍ଟିଆ କଡ଼ା ନଜର ରଖିଛନ୍ତି। ପ୍ରଭାବିତ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ବନ୍ୟା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱଥୀ ଏସ୍., ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଳ ସମ୍ପଦ ବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ବର୍ତ୍ତମାନର ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ସ୍ୱାସ୍ଥ୍ୟ ସେବାର ପ୍ରସ୍ତୁତି, ନଦୀଗୁଡ଼ିକର ଜଳସ୍ତର, ପାଣିପାଗ ପୂର୍ବାନୁମାନ ଏବଂ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମୟୋପଯୋଗୀ ପଦକ୍ଷେପ ନେବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ସମୀକ୍ଷା କରାଯାଇଥିଲା। ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ଯେ, ଲଗାଣ ବର୍ଷାଜନିତ ବନ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଅପରାହ୍ନ ସୁଦ୍ଧା ୪୪ଟି ବ୍ଲକ୍, ୨୪୩ଟି ଗ୍ରାମ ପଞ୍ଚାୟତ ଏବଂ ୭୪୮ଟି ଗ୍ରାମ ବନ୍ୟା ପ୍ରଭାବରେ ରହିଛି। ଏହା ବ୍ୟତୀତ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟର ସମୀକ୍ଷା କରି ମନ୍ତ୍ରୀ ଜିଲ୍ଲା ପ୍ରଶାସନର ସମନ୍ୱିତ ପ୍ରୟାସର ପ୍ରଶଂସା କରିଥିଲେ l ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ପ୍ରାୟ ୩୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସ୍ଥାନାନ୍ତରଣ କରାଯାଇଛି। ସମସ୍ତ ରିଲିଫ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ଥାନାନ୍ତରିତ ଲୋକଙ୍କୁ ସ୍ୱଚ୍ଛ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଆବଶ୍ୟକ ସ୍ଥଳରେ ଶୁଖିଲା ରାସନ ବଣ୍ଟନ କରାଯାଉଛି। ଶିଶୁ, ମହିଳା ଓ ବୟସ୍କମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ସୁରକ୍ଷା ପାଇଁ ରିଲିଫ କେନ୍ଦ୍ରଗୁଡ଼ିକରେ ମହିଳା ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରାଯାଇଛି। ମେଡିକାଲ ଟିମ୍ ମୁତୟନ କରାଯାଇଥିବାବେଳେ ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି ଏବଂ ସାପ କାମୁଡ଼ାର ଚିକିତ୍ସା ପାଇଁ ଆଣ୍ଟି-ସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଜରୁରୀ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC) ରେ MBBS ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ବୈଠକରେ ସୂଚନା ଦିଆଯାଇଥିଲା ଯେ, ବର୍ତ୍ତମାନ ସୁଦ୍ଧା ୨୨୬ଟି ଗ୍ରାମରେ ଜଳବନ୍ଦୀ ସ୍ଥିତି ରହିଛି। ତେବେ ବିଶେଷକରି ବାଲେଶ୍ୱର ଜିଲ୍ଲାରେ ଜଳସ୍ତର କମିବା ଆରମ୍ଭ କରିଥିବାରୁ ଅନେକ ଲୋକ ଧୀରେ ଧୀରେ ରିଲିଫ କେନ୍ଦ୍ରରୁ ନିଜ ଘରକୁ ଫେରୁଛନ୍ତି। ରାଜ୍ୟ ସରକାର ସମଗ୍ର ପରିସ୍ଥିତି ଉପରେ ନିରନ୍ତର ନଜର ରଖି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି। ସମସ୍ତ ନଦୀବନ୍ଧ, ରିଲିଫ କେନ୍ଦ୍ର ଓ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ ବାଧ୍ୟତାମୂଳକ କରାଯାଇଛି। ନଦୀ ପରିସ୍ଥିତିର ସମୀକ୍ଷା ବେଳେ ଜଣାପଡ଼ିଥିଲା ଯେ ଛତିଶଗଡ଼ର ଉପର ଅବବାହିକା ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ହୀରାକୁଦ ବନ୍ଧର ଦୁଇଟି ଗେଟ୍ ଖୋଲା ରହିଛି ଏବଂ ଜଳଭଣ୍ଡାରର ଜଳସ୍ତର ସୁରକ୍ଷିତ ସୀମା ମଧ୍ୟରେ ରହିଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ନିରନ୍ତର ଜଳପ୍ରବାହ ଓ ନଦୀ ଜଳସ୍ତରର ତଦାରଖ କରାଯାଉଛି ଏବଂ ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ବୈଷୟିକ ଆକଳନ ଆଧାରରେ ପର୍ଯ୍ୟାୟକ୍ରମେ ଜଳ ନିଷ୍କାସନ କରାଯିବ। ବର୍ତ୍ତମାନ ନଦୀ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। କ୍ଷତିଗ୍ରସ୍ତ ଘରଗୁଡ଼ିକର ଆକଳନ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରଭାବିତ ପରିବାରମାନଙ୍କୁ ସରକାରୀ ନିୟମାବଳୀ ଅନୁଯାୟୀ ସହାୟତା ପ୍ରଦାନ ପ୍ରକ୍ରିୟା ଜାରି ରହିଛି। ଜରୁରୀ ଉଦ୍ଧାର କାର୍ଯ୍ୟ ବେଳେ ବିଦ୍ୟୁତ୍ ସ୍ପର୍ଶରେ ଜଣେ ଅଗ୍ନିଶମ ସେବା କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ମନ୍ତ୍ରୀ ଓ ଉପସ୍ଥିତ ସମସ୍ତ ଅଧିକାରୀ ଗଭୀର ଶୋକ ପ୍ରକାଶ କରିଥିଲେ। ମୃତକଙ୍କ ପରିବାରକୁ ତୁରନ୍ତ ସମସ୍ତ ସରକାରୀ ସହାୟତା ଓ ପ୍ରାପ୍ୟ ସୁବିଧା ପ୍ରଦାନ କରିବାକୁ ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ସମ୍ପୃକ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବଶେଷ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ସତର୍କ ରଖାଯାଇଛି। ସମ୍ଭାବ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରଶାସନକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ଉଦ୍ଧାରକାରୀ ଦଳ, ଜରୁରୀ ଉପକରଣ ଓ ରିଲିଫ ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୭ଟି NDRF ଟିମ୍, ODRAF ଟିମ୍ ଏବଂ ପ୍ରାୟ ୬୦ଟି ଅଗ୍ନିଶମ ସେବା ଟିମ୍ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କ୍ଷେତ୍ରସ୍ତରରେ ପରିସ୍ଥିତିର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଥିବାବେଳେ ସମସ୍ତ ସରକାରୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ସଂପୃକ୍ତ ବିଭାଗ ସହ ନିରନ୍ତର ସମନ୍ୱୟ ରକ୍ଷା କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସରକାରୀ କାର୍ଯ୍ୟରେ ନୂଆଦିଲ୍ଲୀରେ ଥିଲେ ମଧ୍ୟ ସମଗ୍ର ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଏବଂ ପ୍ରଶାସନକୁ ଆବଶ୍ୟକ ମାର୍ଗଦର୍ଶନ ଦେଉଛନ୍ତି। ଜନସାଧାରଣଙ୍କୁ ସତର୍କ ରହିବାକୁ ଆହ୍ୱାନ ଜଣାଇ ରାଜସ୍ୱ ମନ୍ତ୍ରୀ କହିଥିଲେ ଯେ କେହି ବନ୍ୟାଜଳ ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ, ଅସୁରକ୍ଷିତ ସ୍ଥାନକୁ ଯାଆନ୍ତୁ ନାହିଁ। ଜିଲ୍ଲା ପ୍ରଶାସନର ପରାମର୍ଶ ପାଳନ କରିବା, ଆବଶ୍ୟକ ହେଲେ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର ହେବା ଏବଂ ଜରୁରୀ ସହାୟତା ପାଇଁ ୧୧୨ ନମ୍ବରକୁ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କ୍ଷେତ୍ରସ୍ତରରୁ ଯାଞ୍ଚ ହୋଇଥିବା ସୂଚନା ପ୍ରସାରଣ କରିବା ସହ ରିପୋର୍ଟିଂ ସମୟରେ ନିଜ ସୁରକ୍ଷା ପ୍ରତି ସତର୍କ ରହିବାକୁ ମଧ୍ୟ ରାଜ୍ୟସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ମାନବ ଜୀବନର ସୁରକ୍ଷା ହିଁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ପୁନର୍ବାର ଦୋହରାଇ ମାନ୍ୟବର ମନ୍ତ୍ରୀ ପୂଜାରୀ ଆଶ୍ୱାସନା ଦେଇଛନ୍ତି ଯେ ପ୍ରତ୍ୟେକ ପ୍ରଭାବିତ ନାଗରିକଙ୍କ ନିକଟରେ ସମୟୋପଯୋଗୀ ଉଦ୍ଧାର, ରିଲିଫ ଓ ପୁନର୍ବାସ ସହାୟତା ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରୟାସରେ ଅବହେଳା କରାଯିବ ନାହିଁ। Post navigation Moderate Floods in Mahanadi: ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା: ଦିଲ୍ଲୀପ ରାଉତ