ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ସରକାର ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ୟା ସ୍ଥିତି ଏବଂ ଏହାର ସଫଳ ମୁକାବିଲା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ସମୀକ୍ଷା କରିବା ସହ ରାଜ୍ୟବାସୀଙ୍କୁ ଆଦୌ ବିଚଳିତ କିମ୍ବା ଭୟଭୀତ ନହେବାକୁ ଅନୁରୋଧ କରିଛନ୍ତି। ସରକାର ପ୍ରତିଟି ପଦକ୍ଷେପରେ ଜନସାଧାରଣଙ୍କ ସହିତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆରେ କହିଛନ୍ତି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକ । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ସମୀକ୍ଷା କରାଯାଇଛି। ଲଗାଣ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ଉପରେ ସରକାର ପ୍ରତି ମୁହୂର୍ତ୍ତରେ ନଜର ରଖିଛନ୍ତି । ଏଥିସହିତ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

ବନ୍ୟା ଦ୍ୱାରା ବିଶେଷ ପ୍ରଭାବିତ ହେବାକୁ ଥିବା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟକୁ ସ୍ୱୟଂ ତଦାରଖ କରିବା ପାଇଁ ସରକାର ୩ ଜଣ ବରିଷ୍ଠ ଆଇଏଏସ୍ (IAS) ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଅର୍ପଣ କରିଛନ୍ତି। ଏଥିସହିତ ଜଳସ୍ତର ଓ ପରିସ୍ଥିତି ଉପରେ ସାକ୍ଷାତ ନଜର ରଖିବା ପାଇଁ ଏସଆରସି (SRC) କାର୍ଯ୍ୟାଳୟ ଏବଂ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ୨୪×୭ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ

ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ NDRF, ODRAF, ଅଗ୍ନିଶମ ବାହିନୀ ଓ ପୋଲିସ ବାହିନୀକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି।

ପ୍ରଶାସନ ପକ୍ଷରୁ ସମସ୍ତ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ବ୍ୟାପକ ସୁବିଧା ଯୋଗାଇ ଦିଆଯାଇଛି, ଯେଉଁଥିରେ ସାମିଲ ରହିଛି:

୧-ବିଶୁଦ୍ଧ ପାନୀୟ ଜଳ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା।

୨-ଜରୁରୀ ସ୍ୱାସ୍ଥ୍ୟସେବା ଏବଂ ସର୍ପାଘାତ ପ୍ରତିଷେଧକ ଔଷଧର ମହଜୁଦ।

୩-ଗୃହପାଳିତ ପଶୁମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଗୋଖାଦ୍ୟ।

ସୁରକ୍ଷା ପାଇଁ କଡ଼ା ପୋଲିସ ପେଟ୍ରୋଲିଂ ଓ ତ୍ୱରିତ କ୍ଷତିପୂରଣ ନିର୍ଦ୍ଦେଶ

ବନ୍ୟା ସମୟରେ ଲୋକମାନେ ଆଶ୍ରୟସ୍ଥଳୀକୁ ଆସିବା ପରେ ସେମାନଙ୍କ ଖାଲି ଥିବା ବାସଗୃହ ଓ ଧନସମ୍ପତ୍ତିର ସୁରକ୍ଷା ନେଇ ମଧ୍ୟ ସରକାର ଚିନ୍ତା କରିଛନ୍ତି। ଏଥିପାଇଁ ପୋଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଛି। ଏହା ସହିତ ବନ୍ୟା ଯୋଗୁଁ ଯେଉଁମାନଙ୍କର ବାସଗୃହ କିମ୍ବା ଚାଷ ଜମି ନଷ୍ଟ ହୋଇଛି, ସେମାନଙ୍କର ତୁରନ୍ତ ଆକଳନ କରି ପ୍ରଭାବିତ ଜନସାଧାରଣଙ୍କୁ ଅତି ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରଶାସନକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ଏଥି ସହିତ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ଯେ “ଆଦୌ ବିଚଳିତ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ; ଆମେ ପ୍ରତିଟି ପଦକ୍ଷେପରେ ଆପଣଙ୍କ ସହିତ ଛିଡ଼ା ହୋଇଛୁ। ପ୍ରଶାସନର ସୂଚନାକୁ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।”

Leave a Reply

Your email address will not be published. Required fields are marked *