ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଖାରବେଳ ଭବନଠାରେ ସମସ୍ତ ସଚିବମାନଙ୍କ ସହ ବୈଠକରେ ଯୋଗଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଲୋକମାନଙ୍କ ପାଖରେ ୨୪ ଘଣ୍ଟା ଉତ୍ତରଦାୟୀ। ତେଣୁ ୨୧ଟି ପ୍ରମୁଖ ନିର୍ବାଚନ ପ୍ରତିଶୃତିଗୁଡିକ କିପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ, ତାହା ଆପଣମାନଙ୍କ ଗୁରୁଦାୟିତ୍ବ। ଆଉ ୧୨ ବର୍ଷ ମଧ୍ୟରେ ସ୍ବତନ୍ତ୍ର ଓଡ଼ିଶାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ୨୦୪୭ରେ ମଧ୍ୟ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ। ତେଣୁ ଉଭୟ ଭିଜନକୁ ଦୃଷ୍ଟିରେ ରଖି ଆମକୁ ଓଡ଼ିଶା ପାଇଁ ଏକ ଭିଜନ-୨୦୩୬ ପ୍ରସ୍ତୁତ କରିବାକୁ ହେବ। ଗତ ୨୪ ବର୍ଷରେ ଯାହା ହୋଇପାରି ନାହିଁ, ତାକୁ ଏହି ୫ ବର୍ଷରେ କରିବାକୁ ପଡିବ। ଏହାଦ୍ବାରା ବିକଶିତ ଭାରତରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ସୁନାମ ହାସଲ କରିପାରିବ ବୋଲି ସେ କହିଥିଲେ।

ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଲୋକଙ୍କ ସହିତ ମିଶି ଆଲୋଚନା କରିବା ଦ୍ବାରା ସରକାରଙ୍କ ପ୍ରତି ଲୋକଙ୍କ ଭରସା ସୃଷ୍ଟି ହୁଏ । ଲୋକଙ୍କ ସରକାର ଭାବେ ମୋ ସରକାର କାମ କରିବା ମଧ୍ୟ ଆରମ୍ଭ କରିଦେଇଛି । ଲୋକ ଓ ସରକାରଙ୍କ ମଧ୍ୟରେ କୌଣସି ପ୍ରାଚୀର ରହିବା ଉଚିତ ନୁହେଁ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ଭରସା ସୃଷ୍ଟି ହୋଇଛି, ସେ ଭରସା ଅତୁଟ ରହିବା ଦରକାର। ଲୋକମାନେ ଯେଉଁ ସମସ୍ୟା ନେଇ ଆମ ପାଖକୁ ଆସୁଛନ୍ତି, ତାହାର ସମାଧାନ ହେବା ଅତି ଜରୁରୀ। ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ବିଭାଗର କାର୍ଯ୍ୟକ୍ରମ ଯେପରି ଓଡ଼ିଆ ଭାଷାରେ ହୋଇପାରିବ, ସେଥିପାଇଁ ଆପଣମାନେ ପଦକ୍ଷେପ ନିଅନ୍ତୁ ।

ବିକଶିତ ଓଡ଼ିଶା ନିର୍ମାଣ ପାଇଁ କାମ କରିବାର ସଂପୂର୍ଣ୍ଣ ସ୍ବାଧୀନତା ଆପଣମାନଙ୍କର ଅଛି। କିନ୍ତୁ ଆପଣମାନଙ୍କୁ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବର ସୀମା ଭିତରେ କାମ କରିବାକୁ ହେବ। ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟ ପରିମାଣ ଉପରେ ବିଚାର ବିମର୍ଶ କରନ୍ତୁ ଏବଂ ସେସବୁ ପ୍ରସଙ୍ଗରେ ଆଜିର ଦିନରେ କଣ ସ୍ଥିତି ଅଛି, ତା ଉପରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।

ସବୁ ବିଭାଗର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ତଳସ୍ତରର କର୍ମଚାରୀ ମଧ୍ୟ ସରକାରଙ୍କ ସଫଳତା ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଆମ ଦଳର ମତାମତ ସହିତ ବିରୋଧୀ ଦଳର ମତାମତକୁ ମଧ୍ୟ ଆମକୁ ଗୁରୁତ୍ବର ସହ ନେବାକୁ ପଡିବ। ତୃଣମୂଳସ୍ତରରେ ଜନପ୍ରତିନିଧିମାନଙ୍କ ମତାମତ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ସମସ୍ତେ ଏକ ଟିମ୍‌ ହୋଇ ଓଡ଼ିଶା ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ କାମ କରିବାକୁ ପଡିବ ।

ପ୍ରଶାସନିକ ସଂସ୍କାର ଓ ବିଶ୍ବସନୀୟ ସେବା ପ୍ରଦାନ ଦିଗରେ ଆପଣମାନଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ଆମକୁ ସଫଳତାର ଶୀର୍ଷରେ ପହଞ୍ଚାଇବ, ଏ ବିଶ୍ବାସ ମୋର ରହିଛି । ଆପଣମାନଙ୍କ ସହଯୋଗରେ ଏକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ ହେବ ବୋଲି ସେ ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ସବୁ ବିଭାଗର ସଚିବ ମାନେ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସରକାରଙ୍କ ଆଭିମୁଖ୍ୟକୁ ନେଇ ସେମାନେ କିପରି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି, ସେ ବିଷୟରେ ମଧ୍ୟ ସୂଚନା ଦେଇଥିଲେ।

By Nirvay

Leave a Reply

Your email address will not be published. Required fields are marked *