ଗଞ୍ଜାମ ଓ ଗଜପତି ଜିଲ୍ଲାରେ ରୁଷିକୁଲ୍ୟା ନଦୀର ବନ୍ୟା ଜଳ ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଥିବାବେଳେ, ଏଭଳି ସଙ୍କଟଜନକ ସ୍ଥିତିରେ ଓଡ଼ିଶା ପ୍ରଶାସନିକ ସେବା (OAS) ମେନ୍ ପରୀକ୍ଷା ଜାରି ରଖିବା ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ।

ଏହି ପରୀକ୍ଷା ଦେଉଥିବା ଗଞ୍ଜାମ ଜିଲ୍ଲାର ଶତାଧିକ ପରୀକ୍ଷାର୍ଥୀଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅନ୍ୟାୟ ଓ ଅମାନବୀୟ ବୋଲି ବିଜେଡି କହିବା ସହିତ ପରୀକ୍ଷାର୍ଥୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ଦାବି କରିଛି ।

ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଏହି ବିଷୟରେ ଆଲୋକପାତ କରି କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଓପିଏସସି ଦ୍ୱାରା କରାଯାଉଥିବା ଓସିଏସ ମେନ ପରୀକ୍ଷା ୨୯ ଅକ୍ଟୋବରରୁ ଆରମ୍ଭ ହୋଇ ୭ ନଭେମ୍ୱର ପର୍ଯ୍ୟନ୍ତ ଚାଲିବ । ଗଞ୍ଜାମର ଋଷିକୁଲ୍ୟା ନଦୀରେ ବନ୍ୟା ଆସିବା କାରଣରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି, ଯେଉଁଥି ପାଇଁ ଏହି ପରୀକ୍ଷାର ଶତାଧିକ ପରୀକ୍ଷାର୍ଥୀଙ୍କ ସମେତ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ବନ୍ୟା ଯୋଗୁଁ ଜଳବନ୍ଦୀ ଥିବା ଲୋକ ମାନଙ୍କୁ ଉଦ୍ଧାର କରିବାରେ ସରକାର ସକ୍ଷମ ହୋଇନାହାନ୍ତି । ଅଧିକାଂଶ ଅଞ୍ଚଳରେ ବିଜୁଳି ନାହିଁ ଓ ସମଗ୍ର ଅଞ୍ଚଳ ଯୋଗାଯୋଗ ବିଛିନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ, ଜଳବନ୍ଦୀ ହୋଇଥିବା ପରକ୍ଷାର୍ଥୀଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଚାର କରି ଉପଯୁକ୍ତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । କିନ୍ତୁ, ରାଜ୍ୟ ସରକାର ପରକ୍ଷାର୍ଥୀ ମାନଙ୍କୁ ନିଜ ଉଦ୍ୟମରେ ସ୍ଥାନୀୟ ବିଡ଼ିଓଙ୍କ ନିକଟରେ ପହଞ୍ଚିବା ପାଇଁ କହିଛନ୍ତି, ଯାହା ପରେ ବିଡ଼ିଓ ମାନେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିବେ ବୋଲି ସରକାରଙ୍କର ତରଫରୁ କୁହାଯାଇଛି । କିନ୍ତୁ, ଯେଉଁଠି ବନ୍ୟା ଆସିବାର ୪୮ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଜଳବନ୍ଦୀ ହୋଇ ରହିଥିବା ଲୋକ ମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇନାହାନ୍ତି, ସେଇଠି ପରୀକ୍ଷାର୍ଥୀ ମାନଙ୍କୁ ନିଜ ଉଦ୍ୟମରେ ସ୍ଥାନୀୟ ବିଡିଓଙ୍କ ନିକଟରେ ପହଞ୍ଚିବା ପାଇଁ କହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଇପ୍ସିତା ସାହୁ ପ୍ରଶ୍ନ କରିଛନ୍ତି ।

ଇପ୍ସୀତା ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି, ଗଞ୍ଜାମ ଜିଲ୍ଲାର ଶତାଧିକ ପରୀକ୍ଷାର୍ଥୀଙ୍କ ପ୍ରତି ସମ୍ପୂର୍ଣ୍ଣ ଅନ୍ୟାୟ ଓ ଅମାନବୀୟ । ତେଣୁ ଏହି ମେଧାବୀ ପରୀକ୍ଷାର୍ଥୀ ମାନଙ୍କ ପ୍ରତି ଯେପରି ଅନ୍ୟାୟ ନହୁଏ, ସେଥିପ୍ରତି ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ ଓ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ।

ସେହିପରି ବିଜୁ ଛାତ୍ର ଜନତା ଦଳର ଉପସଭାପତି ସୌମ୍ୟରଞ୍ଜନ ମହାପାତ୍ର କହିଛନ୍ତି ଯେ, ହଜାର ହଜାର ଯୁବକଯୁବତୀ ବିଡିଓ ଓ ତହସିଲଦାର ଭଳି ସମ୍ମାନଜନକ ପ୍ରଶାସନିକ ପଦବୀ ହାସଲ କରିବାର ଆଶା ନେଇ ବର୍ଷ ବର୍ଷ ଧରି ଏହି ଅତ୍ୟନ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥାନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେମାନଙ୍କ କଠିନ ପରିଶ୍ରମ ଓ ଭବିଷ୍ୟତ ଯେପରି ବିପନ୍ନ ନହୁଏ, ସରକାର ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ରାଜ୍ୟ ସରକାର ଓ ଓପିଏସ୍ସି ତୁରନ୍ତ ବ୍ୟବହାରିକ ବିକଳ୍ପ ବ୍ୟବସ୍ଥା ଘୋଷଣା କରନ୍ତୁ । ଆବଶ୍ୟକ ସ୍ଥଳେ ପରୀକ୍ଷା ସ୍ଥଗିତ ରଖିବା କିମ୍ୱା ପୁନଃ ନିର୍ଘଣ୍ଟ କରିବା ଭଳି ପଦକ୍ଷେପ ନିଆଯାଉ । ଯାହାଦ୍ୱାରା କୌଣସି ଯୋଗ୍ୟ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ନହୁଅନ୍ତି । ହଜାର ହଜାର ପରୀକ୍ଷାର୍ଥୀଙ୍କ ସୁରକ୍ଷା, ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମ୍ୱେଦନଶୀଳତା ଓ ତତ୍ପରତାର ସହ ତୁରନ୍ତ ପଦକ୍ଷେପ ନିଅନ୍ତୁ ସରକାର ।

Leave a Reply

Your email address will not be published. Required fields are marked *