ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ମାମଲାରେ ରାଜ୍ୟ ମହିଳା କମିସନଙ୍କ ଦ୍ୱାରସ୍ଥ ହେଲା ବିଜେଡି। ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ପ୍ରତିନିଧୂ ମଣ୍ଡଳୀ ରାଜ୍ୟ ମହିଳା କମିସନଙ୍କ ପାଖରେ ଅଭିଯୋଗ ଦାଖଲ କରିଛନ୍ତି । ଏହା ପୂର୍ବରୁ, ଡ଼ ସାମନ୍ତସିଂହାର ମହିଳା ଥାନାରେ ଏକ ଏଫଆଇଆର ଦାଖଲ କରିଥିଲେ, ଯାହା ପଞ୍ଜିକୃତ ହୋଇଛି। ସେଥିରେ ଉଲ୍ଲେଖ ଅଛି ବିଧାୟକ ଖଟୁଆ ଜଣେ ନାରୀ ନେତ୍ରୀଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଶ୍ରୀ ଖଟୁଆଙ୍କ ମନ୍ତବ୍ୟ କେବଳ ଲେଖାଶ୍ରୀଙ୍କର ସମ୍ମାନ ଉପରେ ନୁହଁ ବରଂ ସମଗ୍ର ନାରୀ ଜାତିର ମାନ ସମ୍ମାନ ଉପରେ ଆଞ୍ଚ ଆଣିଛି ବୋଲି ସ୍ମାରକପତ୍ରରେ କୁହାଯାଇଛି । ସ୍ମାରକପତ୍ର ପ୍ରଦାନ ପରେ ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ଟୁକୁନି ସାହୁ କହିଛନ୍ତି ରାଜ୍ୟରେ ଗତ ଏକ ବର୍ଷର ବିଜେପି ଶାସନରେ, ନାରୀ ମାନଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ଅହେତୁକ ବୃଦ୍ଧି ପାଇଛି । ସରକାରୀ ଦଳର ବିଧାୟକ ହୋଇ ନାରୀ ଜାତି ପ୍ରତି ଏପରି ଅଶାଳୀନ ମନ୍ତବ୍ୟ, ଅପରାଧ ମନସ୍ତତ୍ୱକୁ ଦର୍ଶାଇବା ସହିତ ଅପରାଧୀଙ୍କ ମନୋବଳକୁ ବୃଦ୍ଧି କରୁଛି । ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସରକାର ଆଦୌ ତତ୍ପର ନାହାନ୍ତି । ବିଜେପି ସରକାର କ୍ଷମତାକୁ ଆସିବାର ଏକବର୍ଷ ପୂରଣ ହୋଇଛି। ସରକାର ଏକ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରୁଛନ୍ତି । କିନ୍ତୁ, ମହିଳାଙ୍କ ସ୍ୱାର୍ଥକୁ ଅଣଦେଖା କରିଚାଲିଛନ୍ତି । ଗତ ଏକ ବର୍ଷ ହେଲାଣି, ରାଜ୍ୟ ମହିଳା କମିସନ ପଦ ଖାଲିପଡିଛି। ମହିଳା କମିସନ ଅଫିସ୍ରେ ସମ୍ପାଦକ ମଧ୍ୟ ନାହାନ୍ତି । ଆଜି ଆମେ ଭାରପ୍ରାପ୍ତ ସମ୍ପାଦକଙ୍କୁ ସ୍ମାରକପତ୍ର ପ୍ରଦାନ କଲୁ । ଆଶା କରୁଛୁ, ବିଧାୟକ ଶ୍ରୀ ଖଟୁଆଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ। ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ସାହୁ ଚେତାବନୀ ଦେଇଥିଲେ । ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ସାଂସଦ ତଥା ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସମ୍ପାଦକ ଶ୍ରୀ ମନ୍ମଥ ରାଉତରାୟ, ଗଣମାଧ୍ୟମ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ, ଲୋରା ମହାପାତ୍ର, ମାନସୀ ସୁନ୍ଦରାୟ, ଅଂଶୁ ତ୍ରିପାଠୀ, ରକି ଦାସ, ମୋନାଲିସା ଗନ୍ତାୟତ, ଈଲା ସ୍ୱାଇଁ, ସଂଗ୍ରାମ ସାମଲ ପ୍ରମୁଖ ସାମିଲ ଥିଲେ । Post navigation ସମ୍ପୂର୍ଣ୍ଣ ହେଲା ରତ୍ନ ଭଣ୍ଡାର ମରାମତି କାମ ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପନ୍ନ