ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରମାଣ ମାଗିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ସାଂସଦ ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡ଼ିଓରେ କହିଥିବା ପରେ ଅପରାଜିତ ଏହାର ପ୍ରମାଣ ମାଗିଛନ୍ତି।
ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଲିଙ୍ଗରାଜ ମନ୍ଦିରର କାମ ମୁଁ ବନ୍ଦ କରିବାକୁ ଚେଷ୍ଟା କରିଥିଲି ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି, ତା’ର କିଛି ପ୍ରମାଣ ତାଙ୍କ ପାଖରେ ଅଛି କି? ଏନେଇ ତାଙ୍କ ପାଖରେ କିଛି ଲିଖିତ ପ୍ରମାଣ ଅଛି କି? ଏ ନେଇ ମୁଁ କେବେ କୌଣସି ବକ୍ତବ୍ୟ ଦେଇଥିବାର ପ୍ରମାଣ ତାଙ୍କ ପାଖରେ ଅଛି? ଲିଙ୍ଗରାଜ ମନ୍ଦିରର କାମ ବିଷୟରେ ମୁଁ କେବେ ଆଲୋଚନା ହିଁ କରି ନାହିଁ। ଏଏସଆଇ ତରଫରୁ ବହୁତ ଟଙ୍କା ଅଣାଯାଇ ବିଭିନ୍ନ କାର୍ଯ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଯେତିକି ଲେଖିକି ଦିଆଯାଉଛି, ମୁଖ୍ୟମନ୍ତ୍ରୀ କେବଳ ସେତିକି କହି ଦେଉଛନ୍ତି। ସେ ଯେଉଁ ଅଭିଯୋଗ କରିଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ।‘ମୁଁ ଲିଙ୍ଗରାଜ ଆକ୍ଟକୁ କେବେବି ବିରୋଧ କରିନି, ଯଦି ମୁଖ୍ୟମନ୍ତ୍ରୀ କହୁଛନ୍ତି ୭୨ ଘଣ୍ଟାରେ ପ୍ରମାଣ ଦିଅନ୍ତୁ’।

ସୂଚନାଯୋଗ୍ୟ, ଭୁବନେଶ୍ୱରର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଭୋଟ୍ ଦେବାକୁ ଅପିଲ୍ କରି ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ କହିଥିଲେ ଯେ ବର୍ତ୍ତମାନର ଭୁବନେଶ୍ୱର ସାଂସଦ ଗତ ୫ ବର୍ଷରେ ସେମିତି କିଛି ବଡ଼ କାମ କରି ନାହାନ୍ତି। ସେହିଭଳି ସେ ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଏହାର ଉତ୍ତରରେ ଅପରାଜିତା କହିଛନ୍ତି ଯେ, ମୁଁ ଯାହା କାମ କରିଛି, ପ୍ରତ୍ୟେକ ବର୍ଷ ତା’ର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ସାର୍ବଜଜନୀନ କରିଛି। ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତାମାନେ ତାକୁ ପଢ଼ି ମୁଁ କ’ଣ କରିଛି, ତାହା ଜାଣିପାରିବେ। ବିଜେଡିର ୧୨ ଜଣ ସାଂସଦ ଗତ ୫ ବର୍ଷରେ କ’ଣ କରିଛନ୍ତି, ତା’ର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରନ୍ତୁ ।

By SonaliP

Leave a Reply

Your email address will not be published. Required fields are marked *