ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟର ପ୍ରଗତି, ଆଇନଶୃଙ୍ଖଳା ଏବଂ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଏହି ବୈଠକଗୁଡ଼ିକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ଏହି ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ ଓଡ଼ିଶାର ସାମ୍ପ୍ରତିକ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ନେଇ ସବିଶେଷ ସମୀକ୍ଷା କରାଯାଇଥିଲା। ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ କେନ୍ଦ୍ର-ରାଜ୍ୟ ସହଯୋଗରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ କିପରି ତ୍ୱରାନ୍ୱିତ କରାଯାଇପାରିବ, ସେ ନେଇ ଦୁଇ ନେତାଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଭେଟିଥିଲେ। ଏହି ସାକ୍ଷାତକାର ସମୟରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ବ୍ୟାପକ ବିକାଶ ଏବଂ ନୂତନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟରେ ରେଳ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆଧୁନିକୀକରଣ କରିବା ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ସାକ୍ଷାତକାର ଆଗାମୀ ଦିନରେ ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ଏକ ନୂଆ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।

 

 

Leave a Reply

Your email address will not be published. Required fields are marked *