ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ଯୋଜନାରେ ସହାୟତା ରାଶି ଯୋଗାଇ ଦେଇଛନ୍ତି । ୨୦୧୪-୧୫ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ଯୋଗାଇ ଦିଆଯାଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପର୍ଯ୍ୟଟନ ବିକାଶ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ବ୍ୟାପାର ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ସ୍ବଦେଶ ଦର୍ଶନ ଯୋଜନାର ଦୁଇଟି ପର୍ଯ୍ୟାୟ, ଚାଲେଞ୍ଜ ଆଧାରିତ ପର୍ଯ୍ୟଟନସ୍ଥଳୀ ବିକାଶ (ସିବିଡିଡି) ଯୋଜନା, ପ୍ରସାଦ ଆଦି ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଇଥା’ନ୍ତି

୨୦୧୬-୧୭ ଆର୍ଥିକ ବର୍ଷରେ ଓଡ଼ିଶାର ଗୋପାଳପୁର, ବରକୁଳ, ସାତପଡ଼ା, ତାମ୍ପରାକୁ ନେଇ ଉପକୂଳ ସର୍କିଟ୍ ବିକାଶ ଲାଗି କେନ୍ଦ୍ର ସରକାର ୭୦ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ସେହିପରି ରାଜ୍ୟଗୁଡ଼ିକ ମିଳୁଥିବା ସ୍ବତନ୍ତ୍ର ପୁଞ୍ଜି ନିବେଶ ସହାୟତା ଯୋଜନାରେ ହୀରାକୁଦର ବିକାଶ ଲାଗି ୨୦୨୪-୨୫ ଆର୍ଥିକ ବର୍ଷରେ ୯୯.୯୦ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା । ଏହି ଯୋଜନାରେ ସାତକୋଶିଆର ବିକାଶ ଲାଗି ମଧ୍ୟ ୯୯.୯୯ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ପ୍ରକଳ୍ପ ପାଇଁ ୧୩୧ କୋଟିରୁ ଅଧିକ ଟଙ୍କା ଜାରି କରାଯିବା ସହିତ ବିକାଶ କାମ ଜାରି ରହିଛି ।

ଏଥିପୂର୍ବରୁ ୨୦୧୪-୧୫ ଆର୍ଥିକ ବର୍ଷରେ ପୁରୀ ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ, ଦେମୁଳିଠାରେ ପ୍ରାଚୀ ନଦୀ ତଟ ବିକାଶ ନିମନ୍ତେ ପ୍ରସାଦ ଯୋଜନାରେ ୫୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ହୋଇଥିବା ଗଜେନ୍ଦ୍ର ସିଂ ଶେଖାୱତ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *