ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ତୀକ୍ଷ୍ମ ନଜର ରଖିବା ସହିତ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ରାଜ୍ୟ ସରକାର। ଏ ନେଇ ଆଜି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ଜୀବନ ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଦିନରାତି ନିରନ୍ତର ଭାବେ କାର୍ଯ୍ୟ କରିଛନ୍ତି। ଏଥି ସହିତ ତଳିଆ ଓ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ରିଲିଫ୍ ବଣ୍ଟନ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ସମସ୍ତ ଜିଲ୍ଲା ପ୍ରଶାସନ ସହ ନିୟମିତ ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ସ୍ଥିତିକୁ ସାମ୍ନା କରିବା ପାଇଁ ଏନଡିଆରଏଫ୍ (NDRF), ଓଡ୍ରାଫ୍ (ODRAF) ଏବଂ ଅଗ୍ନିଶମ ସେବାର ବହୁସଂଖ୍ୟକ ଉଦ୍ଧାରକାରୀ ଦଳକୁ ତୁରନ୍ତ କ୍ଷେତ୍ର ସ୍ତରରେ (Field Level) ନିୟୋଜିତ କରାଯାଇଛି। ବନ୍ୟା ଘେରରେ ଫସି ରହିଥିବା ଲୋକଙ୍କୁ ବୋଟ୍ ସାହାଯ୍ୟରେ ଉଦ୍ଧାର କରାଯିବା ସହ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବହୁସଂଖ୍ୟକ ରିଲିଫ୍ କ୍ୟାମ୍ପ ଓ ରନ୍ଧାଖାଦ୍ୟ କେନ୍ଦ୍ର ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହାସହିତ ଜରୁରୀକାଳୀନ ରିଲିଫ୍ ଭାବେ ପର୍ଯ୍ୟାପ୍ତ ପରିମାଣର ଚାଉଳ, ଚୁଡ଼ା ଏବଂ ଗୁଡ଼ ବଣ୍ଟନ କରାଯାଉଛି। ଜଳବନ୍ଦୀ ଓ ପ୍ରଭାବିତ ଅଞ୍ଚଳରୁ ବ୍ୟାପକ ସଂଖ୍ୟକ ନାଗରିକଙ୍କ ସହ ଗୋସମ୍ପଦକୁ ମଧ୍ୟ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ବିପନ୍ନଙ୍କ ଆଶ୍ରୟ ଓ ଆହାର ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୋସମ୍ପଦର ସୁରକ୍ଷା ପାଇଁ ଗୋଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। Post navigation No rain in Odisha for next 3 days: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା: ସୁରେଶ ପୂଜାରୀ Video Ban on River Embankments And Barrages: ନଦୀ ବନ୍ଧ ଓ ବ୍ୟାରେଜ୍ରେ ଭିଡିଓ କରିବା ଉପରେ ଲାଗିଲା କଟକଣା