ଉନ୍ମୋଚନ ହେବା ପୂର୍ବରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତିକୁ ବନ ବିଭାଗ ଭାଙ୍ଗି ଦେଇଛି । ଏରସମା ବ୍ଲକ୍ ଶିଆଳି ଠାରେ ସ୍ଥାପନ ହେଉଥିବା ଏହି ପ୍ରତିମୂର୍ତ୍ତିକୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଭଙ୍ଗାଯିବା ଘଟଣା ଏବେ ବିବାଦୀୟ ମୋଡ଼ ନେଇଛି । ବନ ବିଭାଗ ସୂଚନା ଅନୁଯାୟୀ, ଶିଆଳି ଅଞ୍ଚଳର ଉକ୍ତ ସ୍ଥାନଟି ଜଙ୍ଗଲ ଜମି ଅଟେ। ସେଠାରେ ବିନା ଅନୁମତିରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଥିଲା । ଜଙ୍ଗଲ ଜମିରେ ବିନା ଅନୁମତିରେ କୌଣସି ନିର୍ମାଣ ବେଆଇନ ହୋଇଥିବାରୁ ନିୟମ ଅନୁଯାୟୀ ତାହାକୁ ହଟାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୬ ତାରିଖରେ ସାଂସଦ ବିଭୂ ପ୍ରସାଦ ତରାଇଙ୍କ ଦ୍ୱାରା ଏହାର ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ଦାମ ରାଉତଙ୍କ ପୁଅ ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଦାମୋଦର ରାଉତ ଏରସମା ଅଞ୍ଚଳର ବିଧାୟକ ଭାବେ ଦୀର୍ଘ ବର୍ଷ ଧରି କାମ କରିଥିଲେ । ଶିଆଳି ବେଳାଭୂମିର ବିକାଶରେ ତାଙ୍କର ବଡ଼ ଯୋଗଦାନ ଥିଲା । ତେଣୁ ସ୍ଥାନୀୟ ଲୋକେ ତାଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଚାହୁଁଥିଲେ କିନ୍ତୁ ଜିଲ୍ଲା ପ୍ରଶାସନ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଲା । ଯଦି ତାହା ବେଆଇନ ଥିଲା, ପ୍ରଶାସନ ଭାଙ୍ଗିବା ପରିବର୍ତ୍ତେ ସ୍ଥାନାନ୍ତରିତ କରି ପାରି ଥାନ୍ତା । ଏହା ପ୍ରଶାସନର ଔଦ୍ଧତ୍ୟ ବୋଲି ସମ୍ବିତ କହିଛନ୍ତି । Post navigation Land Registration Documents: ଜମି କିଣାବିକା ଦଲିଲ ରଦ୍ଦ ମାମଲା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ Odisha Reels Under Severe Heatwave Conditions: ଜଳୁଛି ପଶ୍ଚିମ ଓଡ଼ିଶା; ଝାରସୁଗୁଡାରେ ତାପମାତ୍ରା ୪୪.୮ ଡିଗ୍ରି