ଆଜି ୯୦ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା। ୧୯୩୬ ମସିହା ଏପ୍ରିଲ ୧ ତାରିଖ ଓଡିଶାବାସୀଙ୍କ ପାଇଁ ସ୍ମରଣୀୟ ଦିନ।ଉତ୍କଳର ବରପୁତ୍ରମାନଙ୍କ ଉଦ୍ୟମରେ ଏହି ଦିନ ଓଡ଼ିଶା ଭାଷାଭିତ୍ତିକ ପ୍ରଥମ ରାଜ୍ୟର ମାନ୍ୟତା ପାଇଥିଲା। ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ତେଣୁ ଆଜି ରଙ୍ଗୀନ ଆଲୋକରେ ସୁସଜ୍ଜିତ ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟ। ୧୯୩୬ ଏପ୍ରିଲ ୧ ତାରିଖ ଠାରୁ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ବିଦିତ ହୋଇ ରହିଲା। ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି। ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ। ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ। ୧୫୬୮ ବେଳକୁ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବ ଯୁଦ୍ଧରେ ପରାସ୍ତ ହେବା ସହିତ ଅସ୍ତମିତ ହୋଇଥିଲା ସ୍ବାଧୀନ ଓଡ଼ିଶାର ସୂର୍ଯ୍ୟ। ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ ସ୍ମତନ୍ତ୍ର ପ୍ରଦେଶ ଗଠନ ପାଇଁ ମଧୁସୂଦନ ଦାଶ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ସେମାନଙ୍କ ଅବିରତ ନିଷ୍ଠାପର ସାଧନା-ସଂକଳ୍ପ-ସଂଗ୍ରାମ ଯୋଗୁଁ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣ ପର୍ବର ପୂର୍ଣ୍ଣାହୂତି ହୋଇଥିଲା ୧୯୩୬ ଏପ୍ରିଲ ୧ରେ। ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ପ୍ରଥମେ ୬ଟି ଜିଲ୍ଲା ପୁରୀ, କଟକ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା । ଏହାପରେ ଧୀରେଧୀରେ ଜିଲ୍ଲା ସଂଖ୍ୟା ବଢ଼ିଥିଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣକରାଯାଏ । ଅନ୍ୟପଟେ ଓଡ଼ିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ବୋଲି ସେ କହିଛନ୍ତି। ସାମଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ କହିଛନ୍ତି, ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ବହନ କରେ ଏହି ଦିବସ। ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରଗଠନରେ ଓଡ଼ିଶାର ଅମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଆସିଛି। ବିକଶିତ ଭାରତ ନିର୍ମାଣରେ କୁଶଳ ଏବଂ କର୍ମଠ ଓଡ଼ିଶାବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ। ଆଜିର ଏହି ଶୁଭ ଅବସରରେ ଓଡ଼ିଶାବାସୀଙ୍କ ସୁଖ-ସମୃଦ୍ଧି ଓ ମଙ୍ଗଳ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି, ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଆମ ରାଜ୍ୟ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ ହେବାର ଗୌରବ ଲାଭ କରିଥିଲା। ଆଜିର ପବିତ୍ର ଦିନରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେହି ବରେଣ୍ୟ ସନ୍ତାନମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଆସନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମେ ଆମର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ଆହୁରି ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ ହେବା। Post navigation Commercial Cylinder Price: କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି OPHWC Officer Found In Possession Of 29 Plots: ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର; ଠାବ ହେଲା ୨୯ ପ୍ଲଟ୍