ବିହାର ନାଳନ୍ଦା ଜିଲ୍ଲା ଶୀତଳା ଦେବୀ ମନ୍ଦିରରେ ଦଳାଚକଟା । ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ପୂଜା ବେଳେ ବହୁ ସଂଖ୍ୟକ ଲୋକ ଏକାଠି ହେବାରୁ ଅଘଟଣ ଘଟିଛି। ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଶୀତଳା ଦେବୀ ମନ୍ଦିରକୁ ପ୍ରତି ମଙ୍ଗଳବାର ଦିନ ପୂଜାର୍ଚ୍ଚନା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି। ପୂଜା ପାଇଁ ବହୁ ସଂଖ୍ୟକ ଭକ୍ତ ଏକତ୍ରିତ ହେବା ହୋଇଥିଲେ। ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା, ଯେଉଁଥିପାଇଁ ପରିସ୍ଥିତି ଧୀରେ ଧୀରେ ଅନିୟନ୍ତ୍ରିତ ହୋଇପଡ଼ିଥିଲା। ପୂଜା ସମୟରେ ହଠାତ୍ ଧକ୍କାଧକ୍କି ଆରମ୍ଭ ହୋଇଥିଲା, ଯାହା କିଛି ସମୟ ମଧ୍ୟରେ ଦଳାଚକଟାର ରୂପ ନେଇଥିଲା। ଲୋକେ ପରସ୍ପର ଉପରେ ପଡ଼ିଯାଇଥିଲେ ଏବଂ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ଆତଙ୍କ ଖେଳିଯାଇଥିଲା। ଏହି ସମୟରେ ଅନେକ ଶ୍ରଦ୍ଧାଳୁ ଗୁରୁତର ଭାବେ ଆହତ ହୋଇଥିଲେ।

ଘଟଣାର ସୂଚନା ପାଇବା ମାତ୍ରେ ପ୍ରଶାସନ ଓ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ତୁରନ୍ତ ନାଳନ୍ଦା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଦଳ ଆହତଙ୍କ ଚିକିତ୍ସା କରୁଥିବା ବେଳେ ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଛି।

ଏହାପରେ ଘଟଣା ପରେ ପ୍ରଶାସନ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ଖାଲି କରିଦେଇଛି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଏସଡିଏମଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *