ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯ । ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି, କିମ୍ବା ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ । ପୂର୍ବରୁ ଚାଲୁଥିବା ବାର୍ଷିକ ଅବକାରୀ ନୀତି ପରିବର୍ତ୍ତେ ଏବେ ତ୍ରୈ-ବାର୍ଷିକ ଧାଞ୍ଚା ଆଣି ସରକାର ନୀତିରେ ସ୍ଥିରତା ଓ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରିଛନ୍ତି। ତଥାପି ପରିସ୍ଥିତି ଅନୁଯାୟୀ ଏହାରେ ସଂଶୋଧନ କରିବା ପାଇଁ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ନୀତିକୁ ଉପସ୍ଥାପନା କରିଥିଲେ।

ନୂତନ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଲା ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ୍ ପ୍ରଚଳନ। ଏହା ମାଧ୍ୟମରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି। ଏହି ସେସ୍ ରୁ ଆସୁଥିବା ଅର୍ଥ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ ହେବ।

ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ OFF କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂଆ ମଦ ଦୋକାନ ଖୋଲିବା ନିମନ୍ତେ ଅନୁମୋଦନ ଦିଆଯିବ ନାହିଁ । କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍ ପାଇଁ ଛାଡ଼ ରହିବ ।

ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ନିକଟରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ ବୋଲି ନୀତିରେ ସ୍ପଷ୍ଟ କରାଯାଇଛି। ଏହା ସହିତ ଘରକୁ ମଦ ଡିଲିଭେରି ବ୍ୟବସ୍ଥାକୁ ମଧ୍ୟ ଅନୁମତି ଦିଆଯାଇନି। ସରକାରଙ୍କ ଏହି ନୂତନ ଅବକାରୀ ନୀତି ରାଜ୍ୟରେ ମଦ ବ୍ୟବସ୍ଥାପନାକୁ ଶୃଙ୍ଖଳିତ କରିବା ସହିତ ସାମାଜିକ ଦାୟିତ୍ୱକୁ ମଧ୍ୟ ଗୁରୁତ୍ୱ ଦେବାରେ ଏକ ପ୍ରୟାସ ବୋଲି ମନାଯାଉଛି।

ସେସ୍ ରୁ ଆସୁଥିବା ଆୟ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ । ବିଭିନ୍ନ ଅବକାରୀ ଲାଇସେକ୍ସ ପାଇଁ ଆବେଦନ ଶୁଳ୍କ ୧୦ ପ୍ରତିଶତ ବଢ଼ାଯିବ । ଲାଇସେକ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିପାଇବ । IMFL ଓ ଦେଶୀ ମଦ (CL) ଉପରେ ଅବକାରୀ ଶୁଳ୍କ ମଧ୍ଯ ବଢ଼ାଯାଇଛି ।

ପୂର୍ବରୁ ଲାଇସେନ୍ସଧାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ମଦ ବିକ୍ରୟ ପାଇଁ ନିୟମ ରହୁଥିଲା । ଏବେ ଏହା ବଦଳରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଜସ୍ବ ଦେବାକୁ ନିୟମ ପ୍ରବର୍ତ୍ତନ ହୋଇଛି । ଏହା ଦ୍ବାରା ସରକାରୀ ରାଜସ୍ୱ ସୁରକ୍ଷିତ ହେବ । ବ୍ୟବସାୟୀମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ ।

Leave a Reply

Your email address will not be published. Required fields are marked *