ପୀତବାସ ହତ୍ୟାକାଣ୍ଡରେ ବ୍ରହ୍ମପୁରର ଜଣେ ରହସ୍ୟମୟୀ ନାରୀଙ୍କ ଆବିର୍ଭାବ ବଡ଼ ଝଡ଼ ସୃଷ୍ଟି କରିଛି। ଏହା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ, ପୁଲିସ ଏବଂ ମୃତକଙ୍କୁ ଟାଣି ନେଇଛି ସନ୍ଦେହ ଘେରକୁ। ଆଉ ବଢାଇଛି ବଡ଼ ବିବାଦ। ପୁଲିସ ତଦନ୍ତ ଅନୁସାରେ ମୁଦାଲା ବିକ୍ରମ କୁଆଡ଼େ ଉକ୍ତ ରହସ୍ୟମୟୀଙ୍କ ସହ ପାପ ପ୍ରଣୟରେ ସଂଶ୍ଳିଷ୍ଟ ଥିଲେ ଏବଂ ତାଙ୍କର କିଛି ଆପତ୍ତିଜନକ ଫଟୋ ମୃତକ ପୀତବାସଙ୍କର ହସ୍ତଗତ ହୋଇଥିଲା । ସେହି ଫଟୋଗୁଡ଼ିକୁ ଦେଖାଇ ବିକ୍ରମଙ୍କୁ ମୃତକ ପୀତବାସ କୁଆଡ଼େ ବ୍ଲାକମେଲ୍ କରୁଥିଲେ ବୋଲି ପୁଲିସ ଚାର୍ଜସିଟ୍ରେ ଦର୍ଶାଇଛି। ଏହା ହତ୍ୟାର ପ୍ରମୁଖ କାରଣ ବୋଲି କହିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କୋର୍ଟରେ ସେ ବିବାଦୀୟ ପଟୋଗୁଡ଼ିକ ପୁଲିସ ଦେଇନାହିଁ ବୋଲି ମୃତକଙ୍କର ଓକିଲ କହିବା ସହ ଫଟୋ ଦାବି କରିଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ହତ୍ୟା କରାଯାଇଥ ଥିଲା। ସେଦିନ ରାତିରେ ହିଁ ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା। ୨୨ ଅକ୍ଟୋବରରେ ବିକ୍ରମଙ୍କ ସମେତ ୧୮ ଜଣଙ୍କୁ ପୁଲିସ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀ ଭାବେ ଦର୍ଶାଇ କୋର୍ଟ ଚାଲାଣ କରିଥିଲା । ବ୍ରହ୍ମପୁର ଏସପି ଶ୍ରବଣକୁମାର ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଡିଆକୁ ଦେଇ କହିଥିଲେ ଯେ, ବ୍ୟବସାୟ ଓ ରାଜନୈତିକ କାରଣରୁ ୫୦ ଲକ୍ଷ ସୁପାରୀ ବିନିମୟରେ ବିକ୍ରମ ଓ ତାଙ୍କ ଦଳ ପୀତବାସକୁ ହତ୍ୟା କରିଛନ୍ତି । ଏହା କହି ସେ ହାଇକୋର୍ଟଙ୍କର ଝଟ୍କା ମଧ୍ଯ ଖାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ପୁଲିସ ଦର୍ଶାଇଛି ଯେ, ୨୫ ଅକ୍ଟୋବର ଦିନ ମୃତକ ପୀତବାସଙ୍କ ପଇତାରେ ଲାଗିଥିବା ଏକ ଚାବିକାଠି ନେଇ ପୀତବାସଙ୍କ ପରିବାର ଆଗରେ ତାଙ୍କ ଆଲମୀରାର ଗୁପ୍ତ ଚ୍ୟାମ୍ବର ଖୋଲିଥିଲା। ସେଥିରେ ଏକ ଏନଭଲପ୍ରେ ଜଣେ ବିବାହିତ ମହିଳାଙ୍କ ସହ ବିକ୍ରମଙ୍କର ୪ଟି ଆପରିଜନକ ଫଟୋ ମିଳିଥିଲା ଏବଂ ଏକ ପେନଡ୍ରାଇଭ ମଧ୍ଯ ମିଳିଥିଲା । ପେନଡ୍ରାଇଲରେ କ’ଣ ଅଛି ଏବେ ପର୍ଯ୍ୟନ୍ତ ପୁଲିସ ସ୍ପଷ୍ଟ କରିନାହିଁ କି ଚାର୍ଜ ସିଟ୍ରେ ମଧ୍ୟରେ କିଛି ଉଲ୍ଲେଖ ନାହିଁ । ପେନଡ୍ରାଇଭ ଓ ଫଟୋ ମିଳିଥିବା କଥାକୁ ମୃତକଙ୍କର ଭାଇ ମଧ୍ୟ ସ୍ବୀକାର କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠେ ୭ ତାରିଖ ଦିନ ପଇତାରୁ ଚାବିକାଠି ମିଳି ପରେ ପୁଲିସ ଗୁପ୍ତ ଡ୍ୟାମର ଖୋଲିବା ପାଇଁ ୧୮ ଦିନ ସମୟ ନେବାର କାରଣ କ’ଣ ? ବ୍ରହ୍ମପୁର ଏସପି ୨୨ ତାରିଖ ଦିନ ଦେଇଥିବା ବିବୃତିରେ ଏହି ରହସ୍ୟମୟୀ ନାରୀଙ୍କର ସମ୍ପର୍କରେ କାହିଁକି କିଛି ଉଲ୍ଲେଖ କରିନଥିଲେ ଓ ବର୍ତ୍ତମାନ ଏହା ଏକ ଗୁରୁତର ହତ୍ୟାର ମୋଟିଭ୍ ବୋଲି ପୁଲିସ ଚାର୍ଜସିଟ୍ରେ ଦର୍ଶାଇଛି । କେଉଁ ଆଧାରରେ ୨ ତାରିଖ ଦିନ ବିକ୍ରମଙ୍କୁ ଗିରଫ କରାଗଲା । ଏସବୁ ବୁଢିଆଣୀ ଜାଲ ଭଳି ଅଡୁଆ ହେଇ ଚାଲିଛି । ଏହି ଘଟଣା ବାହାରକୁ ଆସିଲା ପରେ ପୁଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ଲାଗିବା ସହ ମୃତକ ପୀତବାସ ଜଣେ ବ୍ଲାକମେଲର ଥିଲେ ବୋଲି ଅନୁଭୂତ ହେଉଛି । ବିକ୍ରମ ମଧ୍ୟ ଏତେ ବଡ଼ ଦାୟିତ୍ଵ ସମ୍ପନ୍ନ ପଦବୀରେ ଥାଇ ଏହି ପ୍ରକାର କୁକର୍ମରେ ଲିପ୍ତ ରହିବା ଯୋଗୁ ସେ ମଧ୍ୟ ବିବାଦକୁ ଟାଣି ହୋଇ ଆସିଛନ୍ତି । ସେ ଯାହା ହେଉ ମନ୍ତ୍ରୀ ବିଭୂତି ଜେନାଙ୍କର ଅନ୍ତରଙ୍ଗ ଓ ସବୁ ବ୍ୟବସାୟ ବୁଝୁଥିବା ମୃତକ ପୀତବାସଙ୍କ ସମ୍ପର୍କରେ ମନ୍ତ୍ରୀଙ୍କୁ କୌଣସି ଜେରା ନକରିବା ସାଧାରଣ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଉନାହିଁ । ମନ୍ତ୍ରୀଙ୍କର କ୍ଷମତା ବ୍ୟବହାର କରି ଥାନାକୁ ଥାନା ବୁଲିବା, ଲୋକଙ୍କ ସମସ୍ୟା ସମାଧାନ କରିବା ଓ ହାତ ଚିକ୍କଣ କରିବା ସମ୍ପର୍କରେ ଅଭିଯୋଗ ହୋଇ ଚାଲିଥିଲା । ଏପରିକି ସାନଖେମୁଣ୍ଡି ବିଧାୟକ ସ୍ପଷ୍ଟ ଭାବେ ଗୋପାଳପୁର ଗଣଧର୍ଷଣର ଅଭିଯୁକ୍ତମାନଙ୍କୁ ଖସାଇ ଦେବା ପାଇଁ ପୀତବାସ ସୁପାରୀ ନେଇଛନ୍ତି ବୋଲି ଅଭିଯୋଗ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ପ୍ରକାରର ତଦନ୍ତ ହେଲା ନାହିଁ କି କେହି ତାକୁ ଅସ୍ୱୀକାର କଲେ ନାହିଁ । ସେ ଯାହା ହେଇ ଏହି ରହସ୍ୟମୟୀ ନାରୀଙ୍କର ଆବିର୍ଭାବ ପରେ ପୁଲିସ ତଦନ୍ତ ନାଟକୀୟ ଭାବେ ବିବାଦୀୟ ହୋଇଯାଇଛି । ପୁଲିସ, ମୃତକ ପିତବାସ ଓ ମୁଦଲା ବିକ୍ରମ ସମସ୍ତେ ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି। ବିଚାର ପରେ ଦୋଷୀ ଦଣ୍ଡ ପାଉଛି ନା ପ୍ରକୃତ କାରଣକୁ ଲୁଚାଇବାକୁ ଚେଷ୍ଟା କରିବା ଯୋଗୁଁ ଦୋଷୀମାନେ ଖସି ଯାଉଛନ୍ତି ଦେଖିବାକୁ ବାକି ରହିଲା। Post navigation Geeta Pattnaik’s Funeral: ପଞ୍ଚଭୂତରେ ଲୀନ ହେଲେ ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ Raseshwari Panigrahi Health Condition Critical: ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ