ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅପମୃତ୍ୟୁ ଓ ତରବରିଆ ଭାବେ ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବାକୁ ନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କୁ କାଠଗଡାରେ ଛିଡା କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳ ଉପସଭାପତି ସଞ୍ଜୟ ଦାସବର୍ମା କହିଥିଲେ, ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅକଷ୍ମାତ ମୃତ୍ୟୁ ଘଟୁଛି ଓ ସରକାର କେବଳ ଏକ ୟୁଡି କେସ ରୁଜୁ କରି ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରି ଦେଇଛନ୍ତି । ସରକାରଙ୍କ ଏହି ତରବରିଆ ଉଦ୍ୟମ ଅନେକ ପ୍ରଶ୍ନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ରାଜ୍ୟର ଗୃହ ମନ୍ତ୍ରାଳୟର ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପାଖରେ ଥିବାରୁ ଏହି ଘଟଣାର ସତ୍ୟାସତ୍ୟ ସେ ଓଡିଶାବାସୀଙ୍କ ସମ୍ମୁଖରେ ରଖିବା ଉଚିତ । ବ୍ୟକ୍ତି ଜଣଙ୍କର ମୃତ୍ୟୁ ବିତ୍ୟୁତ ଆଘାତରେ ହେଲା ବୋଲି କୁହାଯାଉଥିବା ବେଳେ, ସରକାରୀ ବାସଭବନରେ ବିତ୍ୟୁତ ଆଘାତରେ ମୃତ୍ୟୁ ଘଟିବା ଏକ ସାଙ୍ଘାତିକ ଘଟଣା । ଏହା ନିଶ୍ଚିତ ଭାବେ ଏକ ସୁରକ୍ଷା ତ୍ରୁଟି । ବ୍ୟକ୍ତି ଜଣଙ୍କର ମୃତ୍ୟୁ କିପରି ହେଲା ଓ ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ, ଏନେଇ ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକ ଅଛି । ମୃତକଙ୍କ ଶବ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ପରିବାର ସଦସ୍ୟଙ୍କ ସହିତ ବାର୍ତ୍ତାଳାପ କରିବାକୁ ବାରଣ କରାଯାଇଥିଲା । ଏହାଦ୍ୱାରା ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡୁଛି । ତେଣୁ ରାଜ୍ୟ ସରକାର ଏହି ମାମଲାର ଉପଯୁକ୍ତ ତଦନ୍ତ କରି ମୃତ୍ୟୁର କାରଣ ସମ୍ୱନ୍ଧରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାସବର୍ମା କହିଥିଲେ । Post navigation Budget Session Of Odisha Assembly: ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ Gandhi Pathe Odisha Padyatra: ଭଦ୍ରକ ଜିଲ୍ଲାରେ ପିସିସି ସଭାପତିଙ୍କ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରା