ବିଜୁ ଜନତା ଦଳ ସାରା ଓଡ଼ିଶାରେ ଧାନ ସଂଗ୍ରହର ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଓଡ଼ିଶାର ଚାଷୀମାନେ ଧାନ ସଂଗ୍ରହର ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି, ଯାହା ଓଡ଼ିଶାର ଇତିହାସରେ ପୂର୍ବରୁ କେବେ ଦେଖାଯାଇନଥିଲା । ଓଡ଼ିଶା ଏକ କୃଷିପ୍ରଧାନ ଅର୍ଥନୀତି ହୋଇଥିବାରୁ ୬୦ ପ୍ରତିଶତରୁ ଅଧିକ ଲୋକ ଜୀବିକା ପାଇଁ କୃଷି ଉପରେ ନିର୍ଭର କରନ୍ତି । ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ୍ ମହାନ୍ତି କହିଛନ୍ତି ଯେ, ଡବଲ୍ ଇଞ୍ଜିନ୍ ସରକାର ଧାନ ସଂଗ୍ରହରେ ଓଡ଼ିଶାର ଚାଷୀମାନଙ୍କ ସହ ବିଶ୍ୱାସଘାତକତା କରିଥିବା ଅତ୍ୟନ୍ତ ଦୁଃଖଦାୟକ । ୨୦୨୩-୨୪, ୨୦୨୪-୨୫ ଏବଂ ୨୦୨୫-୨୬ର ଧାନ ସଂଗ୍ରହ ସ୍ଥିତିର ତୁଳନାତ୍ମକ ବିଶ୍ଳେଷଣରୁ ଏହା ସ୍ପଷ୍ଟ । ୨୨ ଜାନୁଆରୀ ୨୦୨୪ରେ ବିଜେଡି ସରକାର ସମୟରେ ମୋଟ ୩୯,୭୪,୬୮୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା ଏବଂ ୮,୪୦,୧୮୧ ଚାଷୀ ଓଡ଼ିଶାରେ ଧାନ ବିକ୍ରୟ କରିପାରିଥିଲେ । ୨୨ ଜାନୁଆରୀ ୨୦୨୫ରେ ବିଜେପି ସରକାର ସମୟରେ ମୋଟ ଧାନ ସଂଗ୍ରହ ୩୫,୬୪,୨୬୭ ମେଟ୍ରିକ୍ ଟନ୍କୁ ହ୍ରାସ ପାଇଥିଲା ଏବଂ ମାତ୍ର ୭,୧୨,୪୮୧ ଚାଷୀ ଧାନ ବିକ୍ରୟ କରିପାରିଥିଲେ । ସେହିପରି ୨୨ ଜାନୁଆରୀ ୨୦୨୬ରେ ମୋଟ ଧାନ ସଂଗ୍ରହ ଆହୁରି ହ୍ରାସ ପାଇ ୩୦,୪୯,୫୫୦ ମେଟ୍ରିକ୍ ଟନ୍ରେ ପହଞ୍ଚିଛି ଏବଂ ମାତ୍ର ୬,୯୩,୦୯୭ ଚାଷୀ ଧାନ ବିକ୍ରୟ କରିପାରିଛନ୍ତି । ଏପର୍ଯ୍ୟନ୍ତ ୩୦ ପ୍ରତିଶତ ଚାଷୀ ୩୫ ପ୍ରତିଶତ ଧାନ ବିକି୍ର କରିପାରିଛନ୍ତି । ବିଜେପି ସରକାର ସମୟରେ ସଂଗ୍ରହ ହୋଇଥିବା ଧାନ ପରିମାଣ ଏବଂ ଚାଷୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏହା ସ୍ପଷ୍ଟ ଭାବରେ ଡବଲ ଇଞ୍ଜିନ୍ ସରକାରଙ୍କ ଅପାରଗତାକୁ ଦର୍ଶାଉଛି, ଯିଏ ଓଡ଼ିଶାରେ ଚାଷୀମାନଙ୍କୁ ସମସ୍ତ ଧାନ ସଂଗ୍ରହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ଲେନିନ୍ ମହାନ୍ତି କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ମୁଖ୍ୟମନ୍ତ୍ରୀ (କେନ୍ଦୁଝର) ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ (ବଲାଙ୍ଗୀର ଏବଂ ପୁରୀ) ଜିଲ୍ଲାଗୁଡିକ ଧାନ ସଂଗ୍ରହରେ ବହୁତ ପଛରେ ଅଛନ୍ତି । ବିଜେଡି ସରକାର ସମୟରେ ୨୨ ଜାନୁଆରୀ ୨୦୨୪ରେ କେନ୍ଦୁଝର ଜିଲ୍ଲାରେ ୮୬,୬୪୧ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା । ବିଜେପି ସରକାର ସମୟରେ ୨୨ ଜାନୁଆରୀ ୨୦୨୫ରେ ଧାନ ସଂଗ୍ରହ ହ୍ରାସ ପାଇ ୮୦,୮୯୫ ମେଟ୍ରିକ୍ ଟନ୍ ହୋଇଥିଲା । ବିଜେପି ସରକାର ସମୟରେ ୨୨ ଜାନୁଆରୀ ୨୦୨୬ରେ ଧାନ ସଂଗ୍ରହ ଆହୁରି ହ୍ରାସ ପାଇ ମାତ୍ର ୫୦,୭୦୮ ମେଟ୍ରିକ୍ ଟନ୍ ହୋଇଥିଲା । ଏହା ଧାନ ସଂଗ୍ରହରେ ତଥାକଥିତ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅପାରଗତାକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରୁଛି । ସେହିପରି ବିଜେଡି ସରକାର ସମୟରେ ୨୨ ଜାନୁଆରୀ ୨୦୨୪ରେ ବଲାଙ୍ଗୀର ଜିଲ୍ଲାରେ ୩,୨୦,୮୭୦ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା । ବିଜେପି ସରକାର ସମୟରେ ୨୨ ଜାନୁଆରୀ ୨୦୨୬ରେ ଧାନ ସଂଗ୍ରହ ହ୍ରାସ ପାଇ ମାତ୍ର ୨,୭୮,୮୨୯ ମେଟ୍ରିକ୍ ଟନ୍ ହୋଇଥିଲା । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେ ଭି ସିଂହଦେଓ କହୁଛନ୍ତି ଚାଷୀମାନେ ନୌଟଙ୍କି କରୁଛନ୍ତି, କିନ୍ତୁ ତାଙ୍କ ନିଜ ଜିଲ୍ଲାରେ ଧାନ ସଂଗ୍ରହ କରୁନାହାନ୍ତି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀଙ୍କ ନୌଟଙ୍କି ମନ୍ତବ୍ୟ ପାଇଁ ଚାଷୀ ସମାଜକୁ କ୍ଷମା ମାଗି ଧାନ ସଂଗ୍ରହ ଉପରେ ଧ୍ୟାନ ଦେବା ଉଚିତ । ସେହିପରି ବିଜେଡି ସରକାର ସମୟରେ ୨୨ ଜାନୁଆରୀ ୨୦୨୪ରେ ପୁରୀ ଜିଲ୍ଲାରେ ୨୧,୮୯୧ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା । ବିଜେପି ସରକାର ସମୟରେ ୨୨ ଜାନୁଆରୀ ୨୦୨୫ରେ ଧାନ ସଂଗ୍ରହ ହ୍ରାସ ପାଇ ୧୧,୭୯୨ ମେଟ୍ରିକ୍ ଟନ୍ ହୋଇଥିଲା । ବିଜେପି ସରକାର ସମୟରେ ୨୨ ଜାନୁଆରୀ ୨୦୨୬ରେ ଧାନ ସଂଗ୍ରହ ହ୍ରାସ ପାଇ ମାତ୍ର ୭୯୭ ମେଟ୍ରିକ୍ ଟନ୍ ହୋଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସର୍ବଦା ନିଜର ଅପାରଗତାକୁ ଲୁଚାଇବା ପାଇଁ ବେପରୁଆ ବୟାନ ଦେବାରେ ବ୍ୟସ୍ତ । ଏଭଳି ବେପରୁଆ ମନ୍ତବ୍ୟ ନ ଦେଇ ନିଜ ଜିଲ୍ଲାରେ କାମ କରନ୍ତୁ । ସେ ଆଉ ମଧ୍ୟ କହିଛନ୍ତି; ବର୍ତମାନ ଛତିଶଗଡ଼ ସରକାର ଛତିଶଗଡ଼ରେ ଧାନ ସଂଗ୍ରହ ଲକ୍ଷ୍ୟ ହାସଲ କରିସାରିଛନ୍ତି । ଯଦିଓ ଲକ୍ଷ୍ୟ ଥିଲା ୮୦ ଲକ୍ଷ ମେଟ୍ରିକ୍ ଟନ୍, ଛତିଶଗଡ଼ ସରକାର ବହୁ ପୂର୍ବରୁ ୧୨୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିସାରିଛନ୍ତି ଏବଂ ପ୍ରକ୍ରିୟା ଏବେ ବି ଜାରି ରହିଛି । ଛତିଶଗଡ଼ ସରକାର ଯୋଜନା ଅନୁଯାୟୀ ୨୭୪୦ ଧାନ ସଂଗ୍ରହ କେନ୍ଦ୍ର ଖୋଲିଛନ୍ତି, ଯେଉଁଠାରେ ଓଡ଼ିଶାରେ ଥିବା ବିଜେପି ସରକାର ଯୋଜନା ଅନୁଯାୟୀ ୪୦୮୩ ଧାନ ସଂଗ୍ରହ କେନ୍ଦ୍ର ବଦଳରେ ୨୭୭୨ ଧାନ ସଂଗ୍ରହ କେନ୍ଦ୍ର ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଉଭୟ ଉପମୁଖ୍ୟମନ୍ତ୍ରୀ ନିଜ ନିଜ ଜିଲ୍ଲାରେ ଧାନ ସଂଗ୍ରହ ପରିସ୍ଥିତିର ସମୀକ୍ଷା କରିବା ଉଚିତ ଏବଂ ସେମାନଙ୍କ ଡବଲ ଇଞ୍ଜିନ୍ ସରକାର ଦ୍ୱାରା ପ୍ରତିଶ୍ରୁତି ଅନୁଯାୟୀ ସମସ୍ତ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଚିତ୍ । Post navigation Sankha Bhavan Protest: ଶଙ୍ଖଭବନ ଘେରିଲେ ଅରବିନ୍ଦ ମହାପାତ୍ରଙ୍କ ଶହ ଶହ ସମର୍ଥକ Mishrana Parba At BJP State Office: ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ; ବିଜେପିରେ ସାମିଲ ହେଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍ସିଲର