ରାଷ୍ଟ୍ରୀୟ ସଂଗୀତ ‘ବନ୍ଦେ ମାତରମ’କୁ ୧୫୦ ବର୍ଷ ପୂର୍ତ୍ତି । ଏହି ଅବସରରେ ଆଜି ଲୋକ ସେବା ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍ ‘ ର ୧୫୦ ତମ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଲୋକସେବା ଭବନ ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ଏହି ଗୀତର ସ୍ଥାୟୀ ଐତିହ୍ୟ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସମାବେଶକୁ ସମ୍ବୋଧିତ କରି, ମାଝୀ ୧୮୭୫ ମସିହାରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ବନ୍ଦେ ମାତରମର ଐତିହାସିକ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଏହି ଗୀତକୁ ଦେଶଭକ୍ତିର ଆଧ୍ୟାତ୍ମିକ ଗୀତ” ଭାବରେ ବର୍ଣ୍ଣନା କରିଥିଲେ ଯାହା ସ୍ୱାଧୀନତା ଆନ୍ଦୋଳନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ରିତ କରିଥିଲା ଏବଂ ଜାତୀୟ ଗର୍ବକୁ ପ୍ରେରଣା ଦେଇ ଆସୁଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତାର ପ୍ରତୀକ। ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ମନରେ ଜାଗୃତି, ଉତ୍ସାହ ଓ ବୈପ୍ଳବିକ ମନୋଭାବ ଜଗାଇଥିଲା । ଏହି ଗୀତର ଲୋକପ୍ରିୟତା ଓ ପ୍ରଭାବକୁ ଦେଖି ବ୍ରିଟିଶ ଶାସକମାନେ ବନ୍ଦେ ମାତରମ୍କୁ ବ୍ୟାନ କରିଥିଲେ, ଯାହା ଏହି ଗୀତର ଶକ୍ତିର ସ୍ପଷ୍ଟ ପ୍ରମାଣ। ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଆମେ କେଉଁ ଭାଷା, କେଉଁ ଧର୍ମ ବା କେଉଁ ଅଞ୍ଚଳର ହେଲେ ବି, ଦେଶପ୍ରେମ ବିନା ଦେଶର ଉନ୍ନତି ଅସମ୍ଭବ। ବନ୍ଦେ ମାତରମ୍ ଆମ ହୃଦୟରେ ସେହି ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରେ। ଯୁବପୀଢ଼ୀ, ପିଲାମାନେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏହି ବର୍ଷବ୍ୟାପୀ ପାଳନ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଜି ଆମେ ସମସ୍ତେ ସାରା ଭାରତର ଲୋକ, କାଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ, ବନ୍ଦେ ମାତରମ୍କୁ ସାମୁହିକ ଭାବେ ଗାନ୍ କରିବାର ପ୍ରଭାବ ଖୁବ୍ ସୁଦୂରପ୍ରସାରୀ। ବିଶେଷ କରି ଛୋଟ ଛୋଟ ପିଲା, ଛାତ୍ର ଓ ଯୁବକ ମାନଙ୍କ ଉପରେ ଏହାର ଖୁବ୍ ପ୍ରଭାବ ରହିବ। ଆଗାମୀ ଦିନରେ ଏହା ରାଷ୍ଟ୍ରବାଦକୁ ଏକ ନୂଆ ସଜ୍ଞା ଦେବାରେ ସଫଳ ହେବ । Post navigation Utkal Builders: ଆୟକର ଫାଙ୍କିବା ଅଭିଯୋଗ; ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ଜେରା Nuapada Bye Election: ନୂଆପଡ଼ାରେ ପହଞ୍ଚିଲା ପରେ ଯାଞ୍ଚ ହେଲା ନବୀନଙ୍କ ହେଲିକପ୍ଟର