nuapada-bye-election-bjds-response-to-jay-dholakias-allegations
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ଜୟ ଓ ତାଙ୍କ ମାଆ ଆଣିଥିବା ଅଭିଯୋଗକୁ ଦୃଢ଼ ଖଣ୍ଡନ କରିଥିଲେ । ଡ଼ ମହାନ୍ତି କହିଥିଲେ, ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭାରେ ବିଶାଳ ଜନସମାଗମ ଦେଖି ଜୟ ଢୋଲକିଆ ଓ ବିଜେପି ଆତଙ୍କିତ ହୋଇଛନ୍ତି । ତେଣୁ ଆଜି ଜୟ ତାଙ୍କ ବାପାଙ୍କୁ ଶେଷ ସମୟରେ ବିଜେଡି ଅଣଦେଖା କରିଥିଲା ବୋଲି ମିଛ ଅଭିଯୋଗ ଆଣିଛନ୍ତି ।
 
ନୂଆପଡାରେ ନିର୍ବାଚନ ପ୍ରଚାର ସଭାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବେଇମାନି ମନ୍ତବ୍ୟ ଉପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ ତାଙ୍କ ମାଆ କଳ୍ପନା ଢୋଲକିଆଙ୍କ ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଛି ବିଜେଡି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରାଜୁ ଢୋଲକିଆଙ୍କ ଚିକିତ୍ସା ସମୟରେ ବିଜେଡି ତାଙ୍କୁ ଅଣଦେଖା କରିଥିଲା ବୋଲି ଉଭୟ ଜୟ ଓ ତାଙ୍କ ମା ଆଜି ଅଭିଯୋଗ କରିଥିଲେ ।
 
ନିଜ ଅସୁସ୍ଥତା ସତ୍ତ୍ୱେ ବିଧାୟକ ରାଜୁ ଢୋଲକିଆଙ୍କ ସ୍ୱାସ୍ଥ୍ୟ ବିଷୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିୟମିତ ଖବର ରଖୁଥିଲେ । ତାଙ୍କ ଦେହାନ୍ତ ହେବା ପରେ ଦଳ ତରଫରୁ ଆବଶ୍ୟକ ସହଯୋଗର ହାତ ବଢାଇବା ସହିତ ତାଙ୍କର ଶୁଦ୍ଧିକ୍ରିୟା କାର୍ଯ୍ୟରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ନିଜେ ଭର୍ଚୁଆଲରେ ଯୋଗଦେଇ ଶୋକବାର୍ତ୍ତା ପ୍ରଦାନ କରିଥିଲେ । ଅପରପକ୍ଷରେ, ଜୟ ଢୋଲକିଆ ବିଜେଡିର ପ୍ରାର୍ଥୀ ହେବା ପାଇଁ ନିଜର ଇଚ୍ଛା ପ୍ରକାଶ କରିବା ସହିତ ତାଙ୍କର ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ।
 
ଏହାପରେ ବିଜେଡି ତରଫରୁ ହୋଇଥିବା ପଦଯାତ୍ରା ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଜୟ ଓ ତାଙ୍କ ମାଆ ଯୋଗ ଦେଇଥିଲେ । କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ସେ ରାତାରାତି ମତ ପରିବର୍ତ୍ତନ କରି ବିଜେପିରେ ଯୋଗଦେଲେ, ତାହା ଆଜି ବି ପ୍ରଶ୍ନବାଚୀ ହୋଇ ରହିଛି । ଏହାକୁ ବେଇମାନି କୁହାଯିବନି ତ ଆଉ କ’ଣ କୁହାଯିବ ? ବେଇମାନି କାମ କରିଲ, ବେଇମାନ କହିଲେ ବାଧୁଛି କାହିଁକି? ନିଜ କୁକର୍ମ ଧରାପଡିଯିବାରୁ ଲୋକଙ୍କ ଆଗରେ ମିଛ କଥା କହୁଛ ବୋଲି ଡ଼ ମହାନ୍ତି କହିଥିଲେ ।
 
ସୁଲତା ଦେଓ କହିଥିଲେ, କଳ୍ପନା ଢୋଲକିଆଙ୍କ ସହିତ ବିଜେଡିର ପାରିବାରିକ ସମ୍ପର୍କ ଥିଲା । ମୁଁ ତାଙ୍କୁ ଭାଉଜ ବୋଲି ସମ୍ୱୋଧନ କରେ । ସମ୍ପର୍କ ଆଜି ମଧ୍ୟ ରହିଛି । ବିଜୁ ଜନତା ଦଳ ଢୋଲକିଆ ପରିବାର ସହିତ ସମ୍ପର୍କ କାଟିନାହିଁ । କେଉଁ କାରଣରୁ, କେଉଁ ପରିସ୍ଥିତିରେ ଜୟ ଢୋଲକିଆ ବିଜେପିରେ ଯୋଗଦେଲେ, ସେ ନିଜେ ଭଲ ଭାବରେ ଜାଣିଥିବେ । ଏହାଛଡା, ବିଜେପି ଠାରୁ ମୋଟା ଅଙ୍କର ଅର୍ଥ ନେଇ ବିଜେପିରେ ଜୟ ଯୋଗ ଦେଇଛନ୍ତି ବୋଲି ହେଉଥିବା ଅଭିଯୋଗକୁ ଶ୍ରୀମତୀ ଢୋଲକିଆ ଖଣ୍ଡନ କରିଥିଲା ବେଳେ, ଏହା ବିଜେଡିର ଅଭିଯୋଗ ନୁହେଁ ବୋଲି ଦେଓ କହିଥିଲେ । ସେ ଆହୁରି କହିଥିଲେ, ୧୬ ମାସର ଡବଲ ଇଞ୍ଜିନ ସରକାରଙ୍କ ବିଫଳତାକୁ ନୂଆପଡାବାସୀଙ୍କ ଆଗରେ ଆମ ନେତା ନବୀନ ପଟ୍ଟନାୟକ ରଖିଥିଲେ । ମିଛ ପ୍ରତିଶ୍ରୁତି ଦେଇ ବିଜେପି କିପରି ଓଡିଶାବାସୀଙ୍କୁ ଭୁଆଁ ବୁଲାଉଛି, ତାହା ପ୍ରକାଶ କରିଥିଲେ । ଭୋଟ ଚୋରି ପରେ ବିଜେପି ପ୍ରାର୍ଥୀ ଚୋରି କରିଛି ବୋଲି ସେ କହିଥିଲେ ।

By Nirvay

Leave a Reply

Your email address will not be published. Required fields are marked *