ବଳଙ୍ଗା ପୀଡ଼ିତା ମାମଲାରେ ଦି’ଟା କଥା ଆଦୌ ହଜମ ହଉନି । ପୀଡ଼ିତାଙ୍କ ବାପା ଓ ବୋଉ ଦି’ ପ୍ରକାର କଥା କେମିତି କହିଲେ ? ନିଆଁ ଲାଗିବା ଦିନ ପୀଡ଼ିତାଙ୍କ ବୋଉ ଅପହରଣ କଥା କହିଥିଲେ । କହିଥିଲେ କି ନାହିଁ ? ତା’ ପରେ ତାଙ୍କ ଦେଖାଦର୍ଶନ ଆଉ ମିଳିଲାନି । କିଛିଦିନ ପୁଲିସ ଏହି ଅପହରଣ କଥାକୁ ନେଇ ବାଉଳି ଖାଇଲା । ସିସିଟିଭି ଥାଉ କି ନଥାଉ ଫୁଟେଜ ଖୋଜିଲା। ଡିଜିପି ବି ଗଲେ ଘଟଣା ସ୍ଥଳକୁ । ଜଣେ ଡିଆଇଜିଙ୍କୁ ଏସ୍ପି ଇନଚାର୍ଜ କରି ତଦନ୍ତ ଦାୟିତ୍ବ ଦେଲେ। ପୁଲିସ ଉପରୁ ଆସ୍ଥା ହରେଇ ସରକାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ସଅଁପି ଦେଲେ। ପୀଡ଼ିତା ଭୁବନେଶ୍ବର ଏମ୍ସରୁ ଗଲେ ନୂଆଦିଲ୍ଲୀ ଏମ୍ସ। ରାଜ୍ୟ ସରକାର କୌଣସି ରିସ୍କ ନବାକୁ ଚାହୁଁନଥିଲେ । ବିରୋଧୀ ଦଳିଆ ତାତି ଯାଇ ମାତି ଗଲେ । ଏଠି ଏମ୍ସ ଆଗରେ ସିନା ବୋବାଲ କରୁଥିଲେ, ଦିଲ୍ଲୀକୁ ଯିବା ପାଇଁ ବଳ କାଇଁ ? ଯାଇଥିଲେ ନେଣକୁ ଦେଣ ପଡିଥାନ୍ତା । କିନ୍ତୁ ସେଠାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଲା । ମୃତ୍ୟୁ ପରେ ତାଙ୍କ ବାପା ଯାହା କହିଲେ ତାହା ସନ୍ଦେହକୁ ଶହେଗୁଣ ବଢ଼େଇ ଦେଇଚି। ବୋଉ କହୁଥିଲେ ଅପହରଣ । ବାପା କହିଲେ ସୁଇସାଇଡ । ପୁଣି ଆତ୍ମହତ୍ୟାର କାରଣସରୂପ ବାପା କହିଲେ ଯେ, ମାନସିକ ବିକାରଗ୍ରସ୍ତ ଥିଲା ଆମ ଝିଅ। ତେଣୁ ସେ ଆତ୍ମହତ୍ୟା କରିଚି । ଏଥିରେ କାହାର ହାତ ନାହିଁ। ଆଲ୍ଲା ଚାହିଁଲେନି । ବାପାଙ୍କ ଦୁଃଖ ବୁଝିପାରୁଚୁ । କିନ୍ତୁ ଝିଅ ମାନସିକ ବିଷାଦରେ ଥିଲେ ବୋଲି ବାପା ଜାଣିଲେ କେମିତି ? କଉଁ ଡାକ୍ତରକୁ ଦେଖେଇଥିଲେ କି ? ଡାକ୍ତର କି ଔଷଧ ଲେଖିଥିଲେ ? କଉଁ ଡାକ୍ତର ଦେଖୁଥିଲା ? ପୁଣି ମାନସିକ ଦୁଶ୍ଚିନ୍ତାର କାରଣ କ’ଣ ? ଏକଥା ଆମକୁ ବୁଝେଇ ଦିଅନ୍ତୁ । ଛାଡନ୍ତୁ, ଆମେ କିଏ ? ପୁଲିସ ତାଙ୍କଠୁ ମାଗୁ ଯେ, କଉଁ ଡାକ୍ତରଙ୍କ ଚିକିତ୍ସା ଅନୁସାରେ ଝିଅ ମାନସିକ ରୋଗଗ୍ରସ୍ତ ଥିଲେ, ସେହି ପ୍ରେସକ୍ରିପସନ । ସମସ୍ତେ ଜାଣିବେ ଯେ, ପାଗଳ ଦୋଷରେ ଚାଲିଗଲା ଝିଅଟା । ଏଇ କଥାଟା ଆମକୁ ଗୋପାଳ ଦାସଙ୍କୁ ମନେପକାଇ ଦଉଚି । ଗୋପାଳ ନବଙ୍କୁ ଗୁଳି ମାରିବା ପରେ ସେ ମାନସିକ ରୋଗୀ ବୋଲି ତାଙ୍କ ପତ୍ନୀଙ୍କ ମୁହଁରେ କୁହାଇ ଦିଆଗଲା। ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଜଣେ ପାଗଳ ଚିକିତ୍ସକ ବାହାରି ପଡି ମୁଁ ଔଷଧ ଦଉଥିଲି ବୋଲି କହିଲେ । ତା’ପରଠୁ ସେ ଡାକ୍ତରଙ୍କର ଆଉ ଦେଖାଦର୍ଶନ ନାହିଁ । ବଳଙ୍ଗା ପୀଡ଼ିତାଙ୍କ ପାଇଁ ଏମିତି ଗୋଟିଏ ଡାକ୍ତର ଖୋଜି ଦଉନାହାଁନ୍ତି ପୁଲିସ ! Post navigation ଏଫ୍ଏମ୍ ଛାତ୍ରୀ ଆତ୍ମାହୁତି ମାମଲା: ତଦନ୍ତରୁ ଅନ୍ତର ହେଲେ ଏସ୍. ସାଇନି ପୂର୍ବତନ ମନ୍ତ୍ରୀ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନମୋହନ ସାମଲ