ବିଶ୍ବବ୍ୟାପୀ ସେୟାର ବଜାରରେ ଦେଖାଯାଇଛି ଭୂକମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ, ସେୟାର ବଜାରରେ ହ୍ରାସର ଧାରା ଥମିବାର ନାଁ ନେଉନାହିଁ। ଆମେରିକାରେ ଟାରିଫ ବୃଦ୍ଧିକୁ ନେଇ ସେୟାର ବଜାରରେ ନିଆଁ ଲାଗିଥିବା ବେଳେ ହଂକଂ, ସିଙ୍ଗାପୁର, ଚୀନ, ଜାପାନ ସେୟାର ବଜାରରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି ।

ଏହାରି ମଧ୍ୟରେ ବିଶ୍ବ ବଜାର ପରେ ଭାରତୀୟ ସେୟାର ବଜାରରେ ସୁନାମୀ ଦେଖାଯାଇଛି । ନିଫ୍ଟି ଏବଂ ବ୍ୟାଙ୍କ ନିଫ୍ଟି ସମେତ ଅନ୍ୟ ସବୁ ଇଣ୍ଡେକ୍ସରେ ବି ହାହାକାର ଦେଖିବାକୁ ମିଳିଛି ।  ଭାରତୀୟ ମାର୍କେଟ ଖୋଲୁଖୋଲୁ ସେନସେକ୍ସରେ ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଛି । ଏହାର ଅର୍ଥ ଏହା ପ୍ରାୟ ୪.୭୦ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ନିଫ୍ଟି-୫୦ ଇଣ୍ଡେକ୍ସ ମଧ୍ୟ ୧୧ ଶହ ପଏଣ୍ଟ ହ୍ରାସ ପାଇଛି ।

ସେୟାର ବଜାରରେ ବଡ଼ ଧରଣର ହ୍ରାସ ଦେଖାଯାଉଛି, ଯାହା ନିବେଶକଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ବଜାର ଖୋଲିବା ମାତ୍ରେ ଅର୍ଥାତ ୧୦ ସେକେଣ୍ଡ ମଧ୍ୟରେ ନିବେଶକଙ୍କ ସମ୍ପତ୍ତି ୧୯.୩୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଶୁକ୍ରବାର ଦିନ ଯେତେବେଳେ ବଜାର ବନ୍ଦ ହୋଇଥିଲା, ସେତେବେଳେ ବିଏସଇର ମାର୍କେଟ କ୍ୟାପ ଥିଲା ୪,୦୩,୩୪,୮୮୬.୪୬ କୋଟି ଟଙ୍କା, ଯାହା ସୋମବାର ସକାଳ ୯ଟା ୨୦ ମିନିଟରେ ୩,୮୩,୯୫,୧୭୩.୫୬ କୋଟି ଟଙ୍କାକୁ ଖସି ଆସିଛି।

Leave a Reply

Your email address will not be published. Required fields are marked *