ଓଡ଼ିଶାର ବିଶିଷ୍ଟ କବି ତଥା ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ରମାକାନ୍ତ ରଥଙ୍କ ଆଜି ପରଲୋକ ଘଟିଛି । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ସ୍ୱର୍ଗତଃ ରଥ ୧୯୩୪ ଡିସେମ୍ବର ୧୩ରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ୧୯୭୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ଓଡ଼ିଶାର ମୁଖ୍ୟ ସଚିବ ଭାବେ ୧୯୯୨ରେ ଅବସର ନେଇଥିଲେ । ତାଙ୍କ ଦ୍ୱାରା ରଚିତ କବିତା ସଙ୍କଳନଗୁଡ଼ିକ ମଧ୍ୟରୁ ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, କେତେ ଦିନର ଏବଂ ଶ୍ରେଷ୍ଠ କବିତା ଆଦି ଜନମାନସରେ ବେଶ୍ ଆଦୃତ ଲାଭ କରିଥିଲା । ସ୍ୱର୍ଗତ ରଥଙ୍କ ଦ୍ୱାରା ରଚିତ ‘ଶ୍ରୀରାଧା’ କବିତା ପାଠକୀୟ ମହଲରେ ବେଶ ଚର୍ଚ୍ଚିତ ହୋଇଥିଲା । ସ୍ୱର୍ଗତଃ ରଥଙ୍କୁ ‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୯୩-୧୯୯୮ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଓ ୧୯୯୮-୨୦୦୩ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୦୬ରେ ସ୍ୱର୍ଗତ ରଥଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରି କହିଛନ୍ତି ଯେ, ସ୍ୱର୍ଗତ ରଥଙ୍କ କବିତା ପାଠକଙ୍କ ହୃଦୟକୁ ଆହ୍ଲାଦିତ କରିବା ସହ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବାରେ ଅକଳ୍ପନୀୟ ଯୋଗଦାନ ବହନ କରିଛି । ତାଙ୍କ ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ମନମୋହନ ପ୍ରାର୍ଥନା କରିଛନ୍ତି । Post navigation ରାଜ୍ୟରେ ଧାନ କିଣା ଡେଡ୍ ଲାଇନ୍ ୩୧ ମାର୍ଚ୍ଚ ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଭଡା ପାଇଁ ମିଳିବ ୫୦ ପ୍ରତିଶତ ରିହାତି