ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଭି. ନାରାୟଣନ। ଏନେଇ ଆଜି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏହାକୁ ଅନୁମୋଦନ କରିଛି। ଭି. ନାରାୟଣନ ଆସନ୍ତା ୧୪ ତାରିଖରେ ଏସ୍ ସୋମନାଥଙ୍କ ସ୍ଥାନ ନେବେ। ଭି. ନାରାୟଣନ ଇସ୍ରୋର ମୁଖ୍ୟ ଭାବେ ଦୁଇ ବର୍ଷ ଧରି ଦାୟିତ୍ବରେ ରହିବେ ।

ଏବେ ଇସ୍ରୋର ବିଶିଷ୍ଟ ବୈଜ୍ଞାନିକ ଡ. ଭି ନାରାୟଣନ ବର୍ତ୍ତମାନ ଲିକ୍ୱିଡ୍ ପ୍ରୋପଲ୍ସନ୍ ସିଷ୍ଟମ୍ ସେଣ୍ଟର (ଏଲପିଏସସି)ର ନିର୍ଦ୍ଦେଶକ ଅଛନ୍ତି। ୧୯୮୪ରେ ସେ ଇସ୍ରୋରେ ଯୋଗ ଦେଇଥିଲେ । ୨୦୧୮ରୁ ସେ ଲିକ୍ୟୁଇଡ ପ୍ରପଲ୍ୟୁସନ୍ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ଅଛନ୍ତି ।

ଡକ୍ଟର ନାରାୟଣନଙ୍କ ରକେଟ୍ ଏବଂ ମହାକାଶଯାନ ଉପରେ ଅଭିଜ୍ଞତା ରହିଛି। ଡକ୍ଟର ନାରାୟଣନଙ୍କର ଅନ୍ୟତମ ପ୍ରମୁଖ ଉପଲବ୍ଧି ହେଉଛି ଜିଏସଏଲଭି ଏମକେ ୩ ଯାନର ସି୨୫ କ୍ରାୟୋଜେନିକ୍ ପ୍ରକଳ୍ପ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା। ତାଙ୍କ ନେତୃତ୍ୱରେ ଦଳ ଜିଏସଏଲଭି ଏମକେ-୩ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ସି-୨୫ ପର୍ଯ୍ୟାୟକୁ ସଫଳତାର ସହ ବିକଶିତ କରିଥିଲା। ସେ ଆଦିତ୍ୟ ମହାକାଶଯାନ, ଜିଏସଏଲଭି ଏମକେ-୩ ମିଶନ, ଚନ୍ଦ୍ରଯାନ-୨ ଏବଂ ଚନ୍ଦ୍ରଯାନ-୩ ପାଇଁ ପ୍ରୋପଲସନ ସିଷ୍ଟମରେ ମଧ୍ୟ ଯୋଗଦାନ କରିଥିଲେ।

ଇସ୍ରୋ ବୈଜ୍ଞାନିକ ଡକ୍ଟର ନାରାୟଣନଙ୍କୁ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଆଇଆଇଟି ଖଡଗପୁରରୁ ରୌପ୍ୟ ପଦକ, ଭାରତୀୟ ମହାକାଶଚାରୀ ସମାଜ (ଏଏସଆଇ)ର ସ୍ୱର୍ଣ୍ଣ ପଦକ ଏବଂ ଏନଡିଆରଏଫ ପକ୍ଷରୁ ଜାତୀୟ ଡିଜାଇନ ପୁରସ୍କାର ଅନ୍ତର୍ଭୁକ୍ତ।

Leave a Reply

Your email address will not be published. Required fields are marked *