ରାଜ୍ୟପାଳ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ରଘୁବର ଦାସ। ମଙ୍ଗଳବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏହି ଖବର ପ୍ରଥମେ ଜଣାପଡିଥିଲା। ରଘୁବରଙ୍କ ସ୍ଥାନରେ ଡକ୍ଟର ହରିବାବୁ କମ୍ଭାମପତି ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ତେବେ ଅଚାନକ ରଘୁବର କାହିଁକି ଇସ୍ତଫା ଦେଲେ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବୁଧବାର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ପରେ ସେ ଯେଉଁ ସଙ୍କେତ ଦେଇଛନ୍ତି ତାହା ଏକପ୍ରକାର ସୂଚାଉଛି ଯେ, ପୁଣି ଥରେ ସକ୍ରିୟ ରାଜନୀତିକୁ ଫେରିବାକୁ ଚାହୁଁଛନ୍ତି ରଘୁବର।
ମହାପ୍ରଭୁଙ୍କୁ ଦର୍ଶନ ପରେ ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ବିକାଶ ଦିଗରେ କାମ କରୁଛି। ମୋର ଦୃଢ଼ ବିଶ୍ବାସ ୨୦୩୬ ସୁଦ୍ଧା ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହେବ। ତେବେ ପରବର୍ତ୍ତୀ ଦାୟିତ୍ୱ କ’ଣ ରହିବ ସେ ନେଇ କିଛି ସୂଚନା ମଧ୍ୟ ଦେଇଛନ୍ତି ରଘୁବର। ଯାହା ସୂଚାଉଛି ଯେ, ସେ ସକ୍ରିୟ ରାଜନୀତିକୁ ଫେରିବା ପାଇଁ ପ୍ରସ୍ତୁତ ଅଛନ୍ତି।
ପୂର୍ବରୁ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ରହିଥିବା ରଘୁବର ଗତବର୍ଷ ଅକ୍ଟୋବର ୧୮ ତାରିଖରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ବୁଧବାର ସେ କହିଛନ୍ତି ଯେ, ମୋର ଆଗାମୀ ଭୂମିକା କ’ଣ ରହିବ ତାହା ଦଳର ନେତୃତ୍ୱ ନିଷ୍ପତି ନେବେ । ମୁଁ ୧୯୮୦ ମସିହାରୁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରୁଛି। ଦଳ ଯେଉଁ ଦାୟିତ୍ବ ଦେବ ତାକୁ ମୁଁ ସଠିକ୍ ଭାବେ ତୁଲାଇବି। ମୁଁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା। ମୋର ସେଭଳି କୌଣସି ଉଚ୍ଚାଭିଳାଷ ନାହିଁ । ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ପୂରଣ କରିବା ପାଇଁ ମୁଁ ମୋର ସର୍ବଶ୍ରେଷ୍ଠ ବିନିଯୋଗ କରିବି। ତେବେ ବଡ଼ ପ୍ରଶ୍ନ କେନ୍ଦ୍ର ନେତୃତ୍ୱ ରଘୁବରଙ୍କୁ କିଛି ବଡ଼ ଦାୟିତ୍ୱ ଦେବା ପାଇଁ ଯାଉଛନ୍ତି କି ?