ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଅପ୍ରତ୍ୟାଶିତ ଭାବେ ତାଙ୍କ ପଦବୀରୁ ଅପସରି ଯାଇଛନ୍ତି କିନ୍ତୁ ରହି ଯାଇଛି ତାଙ୍କ ପୁଅ ଦ୍ୱାରା ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ଉପରେ ଅକଥନୀୟ ଓ ଅମାନବୀୟ ଅତ୍ୟାଚାରର ବିବାଦ। ରାଜ୍ୟପାଳଙ୍କ ଏହି ଅପ୍ରତ୍ୟାଶିତ ବିଦାୟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟପାଳଙ୍କ ପୁଅ ଦ୍ୱାରା ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରି ଜୋତା ଚଟାଇବା ପରି ସଙ୍ଗୀନ ଅଭିଯୋଗ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ପୁରୀ ରାଜଭଵନ ଭିତରେ ରାଜ୍ୟପାଳଙ୍କ ପୁଅ ଦ୍ୱାରା ଜଣେ ସରକାରୀ ଅଧିକାରୀଙ୍କୁ (ଏଏସଓ) ମାଡ଼ ମାରିବା ଓ ପରେ ଜୋତାରେ ଛେପ ପକାଇ ତାକୁ ଚାଟିବାକୁ ବାଧ୍ୟ କରାଯିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା। ଏହି ସମ୍ବେଦନଶୀଳ ଘଟଣା ରାଜ୍ୟବାସୀଙ୍କ ମନରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା। ବିଜୁ ଜନତା ଦଳ ସମେତ ରାଜ୍ୟର ଅନ୍ୟ ରାଜନୈତିକ ଦଳମାନେ ଅଭିଯୁକ୍ତ ଉପରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଦାବୀରେ ବିଧାନସଭାକୁ ଅଚଳ କରିଥିଲେ। ରାଜ୍ୟ ସରକାର ଏହି ଘଟଣାରେ ପୁରୀର ଜିଲ୍ଲାପାଳ ତଦନ୍ତ କରି ପନ୍ଦର ଦିନରେ ରିପୋର୍ଟ ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ସୀମିତ ରହି ଯାଇଥିଲା ଓ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳି ନଥିଲା।

ଡ଼ଃ ମହାନ୍ତି କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ ଓ ଆଇନରୁ ଉର୍ଦ୍ଧ୍ଵରେ କେହି ନୁହଁନ୍ତି, ଆଇନର ବ୍ୟାପକତାକୁ ନେଇ ଏହି ଉକ୍ତି ବିଜେପି ଶାସନ କାଳରେ କେବଳ କଥାରେ ସୀମିତ ହୋଇ ରହି ଯାଇଛି। ରାଜ୍ୟର ଶାସନ ଭାର ଗ୍ରହଣ କରିବାର ପ୍ରଥମ ଦିନରେ ଘଟିଥିବା ଏହି ବିବାଦୀୟ ଘଟଣା ଉପରେ ରାଜ୍ୟ ବିଜେପି ସରକାରଙ୍କ ନିରବତା ରାଜ୍ୟର ହୁଗୁଳା ଆଇନ ଶୃଙ୍ଖଳା ପରିସ୍ଥିତିର ଏକ ନଗ୍ନ ଉଦାହରଣ। କେନ୍ଦ୍ର ସରକାର ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ହଟାଇ ଦେଇଛନ୍ତି, କିନ୍ତୁ ତାଙ୍କ ପୁଅ ବିରୋଧରେ ଆସିଥିବା ଅଭିଯୋଗ ମାମଲାରେ ଆଇନ ତା ବାଟରେ ଯିବ କି ନାହିଁ, ଏହି ପ୍ରଶ୍ନ ଏକ ଅସମାହିତ ପ୍ରଶ୍ନ ଭାବେ ରାଜ୍ୟବାସୀଙ୍କ ମନରେ ରହି ଯାଇଛି। ଶ୍ରୀ ରଘୁବର ଦାସ ରାଜ୍ୟପାଳ ଥିବା ସମୟରେ ତାଙ୍କ ପୁଅ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସାହସ ଜୁଟାଇ ପାରୁ ନଥିବା ରାଜ୍ୟ ବିଜେପି ସରକାର ଏବେ ଏଏସଓଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଉଦ୍ୟମ କରିବେ କି ବୋଲି ଡ଼ଃ ମହାନ୍ତି ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *