ଅଙ୍ଗନବାଡ଼ି କେନ୍ଦ୍ରରେ ପୋକ ସାଲୁବାଲୁ ଛତୁଆ ଯୋଗାଣ ଓ ବଣ୍ଟନକୁ ନେଇ ଗତ ଏକମାସ ପୂର୍ବେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଏବଂ ଅଭିଯୋଗ ଉପରେ ତଦନ୍ତ ସାରିଥିଲେ ମଧ୍ୟ ଯୋଗାଣକାରୀ ସଂସ୍ଥା ଅଥବା ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ ଥିବା ଦେଖୁ ୧୫ ନମ୍ବର ୱାର୍ଡର ଅଭିଭାବକ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ପୁଣି ଅଭିଯୋଗ କଲେ।

ସୂଚନା ଥାଉ କି କରଞ୍ଜିଆ ଏନ୍ଏସିର ୱାର୍ଡ ନଂ ୧୫ସ୍ଥିତ ଅଙ୍ଗନବାଢ଼ି କେନ୍ଦ୍ରରେ ଗତ ସେପ୍ଟେମ୍ବର ୧ ତାରିଖରେ ପୋକସାଲୁ ବାଲୁ, ଛତୁଆ ଓ ନିମ୍ନମାନର ହାଲୁଆ ଯୋଗାଣ ହୋଇଥିଲା । ଏହି ସମୟରେ କେତେକ ଅଭିଭାବକ ସେଠାକୁ ଯାଇ ଯୋଗାଣ ଦ୍ରବ୍ୟ ପରକ୍ଷିବା ପରେ ଅଙ୍ଗନବାଡ଼ି ଦିଦି ଓ ତତ୍କାଳୀନ ସିଡିପିଓ ଏବଂ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।

ଉକ୍ତଦିନ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦଙ୍କ ନେତୃତ୍ୱରେ ସୁପରଭାଇଜର ଲକ୍ଷ୍ମୀ ସିଂ, ସୁମତି ଆରୁଖ ଏବଂ ଅଞ୍ଜନା ପାତ୍ର ଅଭିଯୋଗ ଭିତ୍ତିରେ ଓ୍ବାର୍ଡକୁ ଯାଇ ତଦନ୍ତ କରିଥିଲେ । ଏହି ଘଟଣାର ଦୁଇ ଦିନ ପୂର୍ବରୁ ଅଙ୍ଗନବାଡ଼ି ଶିଶୁଙ୍କୁ ଅଖାଦ୍ୟ ଯୋଗାଣ ନେଇ ରାଜ୍ୟ ବିଧାନସଭାରେ ତୁମ୍ବିତୋଫାନ ମଧ୍ୟ ହୋଇଥିବା କାରଣରୁ ଉପଜିଲ୍ଲାପାଳ ତଦନ୍ତ ପରେ ଯୋଗାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଅଙ୍ଗନବାଡ଼ି କର୍ମୀଙ୍କୁ ଏକମାସ ମଧ୍ଯରେ ନିଲମ୍ବନ କରାଯିବ ବୋଲି ୱାର୍ଡବାସୀଙ୍କ ଆଗରେ ପ୍ରକାଶ କରିଥିଲେ।

ଏହି ଘଟଣାକୁ ଦୁଇମାସ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଉକ୍ତ ଘଟଣାରେ ବ୍ୟାପକ ଟଙ୍କା କାରବାର ହୋଇଥିବା ଚର୍ଚ୍ଚା ହେଉଛି। ଛୋଟ ଛୋଟ କୋମଳମତି ଶିଶୁମାନଙ୍କୁ ଦୀର୍ଘ ବର୍ଷ ଧରି ଅଖାଦ୍ୟ ଖାଦ୍ୟ ଯୋଗାଣ କରି ଆସୁଥିବା ଏପରି ସଂସ୍ଥାକୁ ଘଣ୍ଟ ଘୋଡ଼ାଇବା ପଛର କାରଣ କ’ଣ ? ଘଟଣାର ତଦନ୍ତ ରିପୋର୍ଟ ମିଥ୍ୟା ତଥ୍ୟ ଦେଇ ଜିଲ୍ଲା ପ୍ରଶାସନକୁ ଭକୁଆ ବନାଉ ନାହିଁ ତ ସ୍ଥାନୀୟ ପ୍ରଶାସନ ? ଉକ୍ତ ସଂସ୍ଥା କୁଆଡ଼େ ସ୍ଥାନୀୟ ବିଜଦ ନେତାଙ୍କ ବାହୁଛାୟା ତଳେ ଥିବା କାରଣରୁ ଯୋଗାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ଯୋଗୁଁ ଓ୍ବାର୍ଡବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଓ ସ୍ୱଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

Leave a Reply

Your email address will not be published. Required fields are marked *