ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ତଥା ଅର୍ଥନୀତିଜ୍ଞ ବିବେକ ଦେବରୟଙ୍କ ଆଜି ପରଲୋକ ହୋଇଯାଇଛି। ବିବେକ ଦେବରୟ ଭାରତ ସରକାରଙ୍କ ଅନେକ ପ୍ରମୁଖ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି। ବିବେକ ଦେବରୟଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅନ୍ତନଳୀରେ ସମସ୍ୟା ଉପୁଜିବା ହେତୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କର ଦେହାନ୍ତ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେବରୟ ପୁଣେରେ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଜିପିଇ)ର କୁଳପତି ଭାବରେ କାର୍ଯ୍ୟ କରିଥିଲେ। ୨୦୧୯ ମସିହା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସେ ନୀତି ଆୟୋଗର ମଧ୍ୟ ସଦସ୍ୟ ଥିଲେ । ଏହା ପରେ ସେ ପିଏମ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ହୋଇଥିଲେ। ତାଙ୍କର କାମ ଥିଲା ଭାରତର ଅର୍ଥନୈତିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାମର୍ଶ ଦେବା। ଏହିପରି ଭାବରେ ସେ ଅର୍ଥନୈତିକ ସାମ୍ମୁଖ୍ୟରେ ମୋଦି ଦଳର ଚାଣକ୍ୟ ଥିଲେ। ଦେବରୟଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ନିଜ ଜୀବନକାଳ ଭିତରେ ସେ ଅନେକ ପୁସ୍ତକ ଲେଖିବା ସହ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି । ମହାଭାରତ, ରାମାୟଣ ଏବଂ ଭଗବଦ ଗୀତାଙ୍କୁ ସଂସ୍କୃତରୁ ଇଂରାଜୀକୁ ଅନୁବାଦ କରିଥିଲେ।

ଅନ୍ୟପଟେ ସୋସିଆଲ ମିଡିଆରେ  ବିବେକ ଦେବରୟଙ୍କ ସହ ତାଙ୍କ ଛବି ସେୟାର କରି ପରିବାର ଏବଂ ବନ୍ଧୁମାନଙ୍କୁ ସମବେଦନା ଜଣାଇ  ମୋଦୀ ଲେଖିଛନ୍ତି ମୁଁ ଡକ୍ଟର ବିବେକ ଦେବରୟଙ୍କୁ ବହୁ ବର୍ଷ ଧରି ଜାଣିଛି। ମୁଁ ସର୍ବଦା ତାଙ୍କ ଗଭୀର ଜ୍ଞାନ ଏବଂ ଏକାଡେମିକ୍ ବକ୍ତବ୍ୟ ପ୍ରତି ଆଗ୍ରହକୁ ମନେ ରଖିବି। ବିବେକ ଦେବରୟଙ୍କ ଦେହାନ୍ତରେ ସେ ଅତ୍ୟନ୍ତ ଦୁଃଖିତ। ବିବେକ ଦେବରୟ ଜଣେ ମହାନ ବିଦ୍ୱାନ, ଯାହାଙ୍କର ଅର୍ଥନୀତି, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ଏବଂ ଅନ୍ୟାନ୍ୟ କ୍ଷେତ୍ରର ଅପାର ଜ୍ଞାନ ଥିଲା। ତାଙ୍କ କାର୍ଯ୍ୟ ମାଧ୍ୟମରେ ସେ ଭାରତର ବୌଦ୍ଧିକ ଦୃଶ୍ୟପଟ୍ଟରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି।

 

Leave a Reply

Your email address will not be published. Required fields are marked *