ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭରେ ସୋମବାର ଦିନ କିଛି ଟାଣ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ସରକାରଙ୍କ ଦୂର୍ନୀତି ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ମୋହନ ୩ଟି ବଡ଼ କଥା କହିଛନ୍ତି ।

ପ୍ରଥମଟି ହେଲା- ତାଙ୍କୁ କେହି ହେୟଜ୍ଞାନ କରନ୍ତୁ ନାହିଁ । ଦ୍ୱିତୀୟଟି- ଏବେ ଟ୍ରେଲର ଆରମ୍ଭ, ଫିଲ୍ମ ବାକିଅଛି ।  ତୃତୀୟଟି- ଅଫିସରଙ୍କ ହାଡ ଖୋଲି ଦେଇଛି ।

ତେବେ ମୋତେ କେହି ହେୟଜ୍ଞାନ କରନ୍ତୁ ନାହିଁ ବୋଲି ମୋହନଙ୍କର ଇଙ୍ଗିତ କାହାକୁ ? ଏହାକୁ ନେଇ ଚଢା ରାଜନୀତି ଅଳିନ୍ଦରେ। ଯଦିଓ ଦୁର୍ନୀତି ନିବାରଣ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏସବୁ ବିଷୟ କ‌ହିଛନ୍ତି, ତେବେ ଏହା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରତି ଉଦ୍ଦିଷ୍ଟ ବୋଲି କିଛି ମହଲ ବିଶ୍ଵାସ କରୁଛନ୍ତି। କିନ୍ତୁ ‘ହେୟଜ୍ଞାନ’ ଶବ୍ଦଟିର ବିପୁଳ ରାଜନୈତିକ ବ୍ୟାପକତା ଅଛି ।

ମୋହନ ନିଜେ ବି କେବେ ଭାବି ନଥିଲେ ଯେ ଦଳର ହାଇକମାଣ୍ଡ ତାଙ୍କୁ ସରକାରର ନେତୃତ୍ୱ ଦେବେ। ନିର୍ବାଚନ ପ୍ରଚାର ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ଵରରେ ଯେଉଁ ଭାଜପା ନେତାମାନଙ୍କୁ ଏକାଠି ସାମ୍ବାଦିକମାନ‌ଙ୍କ ଆଗରେ ଦେଖୁବାକୁ ମିଳିଥିଲା, ସେଥ୍‌ରେ ମୋହନ ନଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ବିଷୟକୁ ବିଚାରକୁ ନେଇ କେନ୍ଦୁଝର ସଦର ବିଧାୟକ ମୋହନଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଲେ। ଏହା ଦଳର କିଛି ନେତାଙ୍କୁ ପସନ୍ଦ ହୋଇ ନଥିଲା। ଏବେବି ସେହି ଭାବନା ଭିତରେ ସେମାନେ ଅଛନ୍ତି। ଜଣେ ଆଦିବାସୀ ନେତା ପ୍ରଥମ ଥର ପାଇଁ ପ୍ରାରମ୍ଭରୁ ମୁଖ୍ୟମନ୍ତ୍ରୀ ହେବେ, ଏହାକୁ ଦଳର କିଛି ବରିଷ୍ଠ ନେତା ଏବେସୁଦ୍ଧା ହଜମ କରିପାରୁ ନାହାନ୍ତି । ସେମାନଙ୍କର ଅନୁଗତ ମାନେ ମୋହନଙ୍କୁ ହେୟଜ୍ଞାନ କରୁଛନ୍ତି । ମୋତେ ହେୟଜ୍ଞାନ କରନ୍ତୁ ନାହିଁ ବୋଲି ମୋହନ ଯାହା କହିଲେ, ତାହା ନିଜ ଦଳର ସେଭଳି ଗୋଷ୍ଠୀଙ୍କ ପ୍ରତି ଉଦ୍ଦିଷ୍ଟ କି ? ଏହା ମଧ୍ୟ ଆଲୋଚନା ହେଉଛି।

ସେହିପରି ମୁଖ୍ୟ ବିରୋଧୀ ଦଳ ବିଜଦ ନବୀନଙ୍କ ସହ ମୋହନଙ୍କୁ ତୁଳନା କରି ସାମାଜିକ ଗଣମାଧ୍ୟମରେ ଭାଜପା ମୂଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର ଆରମ୍ଭ କରିଦେଇସାରିଛି। ଏପରିକି ଦାନା ବାତ୍ୟା ଆସିବା ବେଳେ ମୋହନଙ୍କୁ ନିଚା ଦେଖାଇବା ପାଇଁ ବିଜଦ ନେତୃତ୍ବ ପ୍ରୟାସ କରିଛି । ଆରମ୍ଭରୁ ଏପର୍ଯ୍ୟନ୍ତ ସୁଦ୍ଧା ଆଦିବାସୀ ନେତା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ହେୟଜ୍ଞାନ କରିଆସୁଛନ୍ତି ବିଜଦ ନେତାମାନେ । ତେଣୁ ବିଜଦ ନେତାଙ୍କ ଆଡ଼କୁ ମଧ୍ୟ ଇଙ୍ଗିତ କରି ସ ମୋତେ ହେୟଜ୍ଞାନ କରନ୍ତୁ ନାହିଁ ବୋଲି  ସାବଧାନ କରି ଦେଇଛନ୍ତି ମୋହନ

 

 

Leave a Reply

Your email address will not be published. Required fields are marked *