ଆମ ରାଜ୍ୟରେ ବିଜେଡି ସରକାରଙ୍କ ପତନ ପରେ ବିଜେପି ସରକାର କ୍ଷମତାକୁ ଆସିଛନ୍ତି। ତେବେ ସରକାର ବଦଳିବା ପରେ ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା ଯୋଜନା) କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏହି ଯୋଜନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚାକିରୀ ନବୀକରଣ ଗତ ସେପ୍ଟେମ୍ବର ମାସ ୩୦ ରୁ ଠପ୍ ହେବା ଫଳରେ ଭଦ୍ରକ ଜିଲାରେ ୫ ଜଣ କର୍ମଚାରୀଙ୍କ ସମେତ ରାଜ୍ୟର ୬୨୦ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଏବଂ ଏହି ଯୋଜନା ବନ୍ଦ ରହିବା ଫଳରେ ଏହି ଜିଲ୍ଲାରେ କାର୍ଯ୍ୟାଦେଶ ସଂପୂର୍ଣ୍ଣ ହୋଇଥିବା ସହରରୀ ସୌନ୍ଦର୍ଯୀକରଣ, ବର୍ଷାଜଳ ସଂରକ୍ଷଣ, ଖୋଲା ଜିମ୍ ନିର୍ମାଣ, ଶିଶୁ ଉଦ୍ୟାନ ଏବଂ ରାସ୍ତାପାଶ୍ୱର୍ ଟଏଲେଟ୍ ଭଳି କ୍ଷୁଦ୍ର ଶ୍ରମଭିତିକ ୩୬ଟି ପ୍ରକଳ୍ପରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇନପାରି ପଡିରହିଛି।

ମୁକ୍ତା ଯୋଜନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚାକିରୀକାଳ ଗତ ସେପ୍ଟେମ୍ବର ୩୦ ରେ ଶେଷ ହୋଇଯାଇଥିଲେ ମଧ୍ୟ ସରକାର ଏହା ଆଗକୁ ବଳବତର ରହିବ ଅଥବା ରଦ୍ଦ କରିଦିଆଯିବ, ସେ ନେଇ କୌଣସି ନିଷ୍ପତି ଗ୍ରହଣ କରିନାହାଁନ୍ତି। ଫଳରେ ଏହି ଯୋଜନାରେ ୩ ପୁରୁଷ ଧରି କାର୍ଯ୍ୟ କରିଆସୁଥିବା ଜିଲାରେ ୫ ଜଣ କର୍ମଚାରୀଙ୍କ ସମେତ ରାଜ୍ୟରେ ୬୨୦ ଜଣ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତ ମଧ୍ୟରେ ଗତି କରୁଛି। ଗୋଟିଏ ପଟରେ ସରକାର ଏହି ଯୋଜନାରେ ନୂଆ କାମକୁ ନା କରିଦେଇଥିବାବେଳେ ଅନ୍ୟପଟରେ ନିୟୋଜିତ କର୍ମଚାରୀଙ୍କ ଚାକିରୀ ନବୀକରଣ ଉପରେ ଅଂକୁଶ ଜାରି କରିବା, ପୂର୍ବ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ମୁକ୍ତା ଯୋଜନାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ କୋଭିଡ୍ ସମୟରେ ସହରାଂଚଳରେ ବସବାସ କରୁଥିବା ଗରିବ ଦିନ ମଜୁରିଆ ଲୋକ ଏବଂ ବାହାରୁ ପଳାଇ ଆସିଥିବା ଶ୍ରମିକ ଶ୍ରେଣୀର ଲୋକଙ୍କୁ ତୁରନ୍ତ କର୍ମ ସଂସ୍ଥାନ ଯୋଗାଇଦେବାକୁ ରାଜ୍ୟ ସରକାର ସେତେବେଳେ ଅର୍ବାନ ୱେଜ୍ ଏମ୍‌ପ୍ଲୋଇମେଂଟ ଇନ୍‌ସିଏଟିଭ୍ (ୟୁଡବ୍ଲୁଇଆଇ) ନାମକ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିରେ କାନ୍ଥରେ ଚିତ୍ରାଙ୍କନ, ନାଳ ନର୍ଦ୍ଦମା ସଫେଇ, ପରିବେଶ ସୁରକ୍ଷା ଭଳି କ୍ଷୁଦ୍ର ଶ୍ରମଭିତିକ କାର୍ଯ୍ୟ କରିବାକୁ କୁହାଯାଇଥିଲା।

ତେବେ କୋଭିଡ୍ ସଂକଟ ହଟିଯିବା ପରେ ତତ୍‌କାଳୀନ ସରକାର ୨୦୨୧ ଫେବୃୟାରୀ ୧ ତାରିଖ ଠାରୁ ଯୋଜନାର ନାମ ବଦଳାଇ ଏହାକୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ନାମକରଣ କରି ଯୋଜନାକୁ ଅଧିକ ବ୍ୟାପକ କରିବାର ପ୍ରୟାସ କରିଥିଲେ। ଏବଂ ଉପରୋକ୍ତ ନିର୍ମାଣ କାର୍ଯ୍ୟ ପାଇଁ ଅନୁମୋଦନ କରିଥିଲେ। ଫଳରେ କେବଳ ସହରର ପରିବେଶ ସରସ ସୁନ୍ଦର ହେଉନଥିଲା। ଏଥିରେ ବସବାସ କରୁଥିବା ଗରିବ ଶ୍ରମଜୀବୀ ଲୋକ ଏବଂ ମହିଳା ଗୋଷ୍ଠୀ ଉପକୃତ ହୋଇଆସୁଥିଲେ। କିନ୍ତୁ ବର୍ତମାନର ସରକାର ଏହା ଉପରେ ଅଂକୁଶ ଲଗାଇବା ଫଳରେ ରାଜ୍ୟରେ ୬୨୦ କର୍ମଚାରୀ ନିଯୁକ୍ତି ହରାଇବାକୁ ଯାଉଛନ୍ତି। ଯାହା ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି।

 

Leave a Reply

Your email address will not be published. Required fields are marked *