ଆଜିଠାରୁ ହବିଷିଆଳି ମା’ମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ। ଏଣୁ କାର୍ତ୍ତିକ ବ୍ରତଧାରୀ ହବିଷିଆଳି ମା’ମାନେ ବ୍ରତ ପାଳନ ପାଇଁ ଆଜିଠାରୁ ନିଜର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। । ପୁରୀରେ ହବିଷ୍ୟାଳୀଙ୍କ ରହଣି ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଗୁରୁବାର ସକାଳୁ କିଛି ହବିଷ୍ୟାଳୀ ଆନ୍ଦୋଳନ କରିଛନ୍ତି । ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି । ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଛନ୍ତି ହବିଷ୍ୟାଳି ।

ଚଳତବର୍ଷ ପୁରୀରେ ହବିଷ୍ୟାଳୀଙ୍କ ରହଣି ପାଇଁ ସରକାରଙ୍କ ତରଫରୁ ଅନଲାଇନ ଆବେଦନ ପାଇଁ କୁହାଯାଇଥିଲା । କିଛି ହବିଷ୍ୟାଳୀ ଅନଲାଇନରେ ଆବେଦନ କରିଛନ୍ତି ମାତ୍ର ସେମାନଙ୍କ ନାଁ ପଞ୍ଜିକରଣ ହୋଇ ନାହିଁ । ଫଳରେ ସେମାନଙ୍କୁ ରହିବାକୁ ଅନୁମତି ମିଳି ନାହିଁ । ତେଣୁ ସେମାନେ ବୃନ୍ଦାବତୀ ନିବାସ ଆଗରେ ବସି ରହିଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ସେଠାରେ ପହଁଚି ବୁଝାସୁଝା କରୁଛନ୍ତି । ଅନଲାଇନରେ ପଞ୍ଜିକରଣ କରିଥିବା ବ୍ରତଧାରୀଙ୍କୁ ପ୍ରଥମେ ରହିବାକୁ ଅନୁମତି ପ୍ରଦାନ କରାଯିବ । ବଳକା ରହିଲେ ଅଣ ପଞ୍ଜିକୃତଙ୍କୁ ରହିବାକୁ ଅନୁମତି ମିଳିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି ।

ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ରାଜ୍ୟ ସରକାର ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଥିଲା । ଚଳିତବର୍ଷ ସର୍ବାଧିକ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ଶ୍ରୀକ୍ଷେତ୍ରରେ ରହଣିର ବ୍ୟବସ୍ଥା କରାଯାଇଥିଲା । ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ବଡ଼ଦାଣ୍ଡ ଅକ୍ଷୟପାତ୍ର ଫାଉଣ୍ଡେସନ୍ ଗୃହ, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣମଣ୍ଡପରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ହବିଷିଆଳି ଶିବିରରେ ମହାପ୍ରସାଦର ବ୍ୟବସ୍ଥା ସହ ଦୈନିକ ସନ୍ଧ୍ୟାରେ ପ୍ରବଚନ ଓ ଭଜନକୀର୍ତ୍ତନର ବ୍ୟବସ୍ଥା କରାଯାଇଛି। ଦୈନିକ ମହାପ୍ରଭୁଙ୍କ ଦର୍ଶନ ପରେ ଅନ୍ନଗ୍ରହଣ କରିଥାନ୍ତି ବ୍ରତଧାରୀ। ଚଳିତବର୍ଷ ବି ସମାନ ବ୍ୟବସ୍ଥା ଆପଣାଇଛି ପ୍ରଶାସନ। ସକାଳେ ମହାପ୍ରଭୁଙ୍କ ଦର୍ଶନ କରାଇବା ପରେ ଅପରାହ୍ନ ଅବା ସନ୍ଧ୍ୟାରେ ମହାପ୍ରସାଦ ସେବନର ବ୍ୟବସ୍ଥା କରିଛି।

Leave a Reply

Your email address will not be published. Required fields are marked *