ଆସନ୍ତା ୨୩ ତାରିଖରୁ ୨୫ ତାରିଖ ୩ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ଓଡିଶା ଗସ୍ତରେ ଆସି ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେବେ ବୋଲି ଜଣାପଡ଼ିଛି । ଏହା ପରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ସଚିବ ମନୋଜ ଆହୁଜା ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୀକ୍ଷା ବୈଠକରେ ମୟୂରଭଞ୍ଜ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାପାଳମାନେ ସାମିଲ ଥିଲେ ଓ ସେମାନଙ୍କୁ ଗସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ତଦାରଖ କରିବାକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁୁର୍ମୁ ଚଳିତମାସ ୨୩ତାରିଖରେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନରେ ଆସି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିସ୍ଥିତ ହେଲିପ୍ୟାଡ଼ରେ ସକାଳ ୯ଟା ୫୫ମିନିଟରେ ପହଂଚିବେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ବିଭିନ୍ନ ରେଳ ଲାଇନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଭର୍ଚୁଆଲ ମୋଡରେ ରାଇରଙ୍ଗପୁରଠାରେ ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ ଓ ଉପଖଣ୍ଡ ଚିକିତ୍ସାଳୟ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ବାଙ୍ଗିରିପୋଷିରେ କାର୍ଯ୍ୟକ୍ରମ ସରିବା ପରେ ସେହିଦିନ ମଧ୍ୟାହ୍ନ ୧୨ଟାରେ ରଙ୍ଗମାଟିଆ ହେଲିପ୍ୟାଡରେ ଓହ୍ଲାଇ ନିକଟସ୍ଥ ଉପରବେଡ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ । ଦିନ ୧ଟା ୧୦ରୁ ୧ଟା ୪୦ମିନିଟ୍ ମଧ୍ୟରେ ଉପରବେଡ଼ାସ୍ଥିତ ନିଜ ଘରେ ରହି ଗାଁ ଲୋକଙ୍କ ସହ ଆଲୋଚନା କରିବେ । ରାଇରଙ୍ଗପୁରରେ ମଧ୍ୟାହ୍ନ ଭୋଜନ ପରେ ସ୍ଥାନୀୟ ଉପଖଣ୍ଡ ମେଡିକାଲରେ ଏଏଲଏସ୍ ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ ଆମ୍ବୁଲାନ୍ସକୁ ପତାକା ଦେଖାଇ ଲୋକାର୍ପଣ କରିବେ । ପରେ ସ୍ଥାନୀୟ ମହିଳା କଲେଜକୁ ଗସ୍ତ କରି ଅଧ୍ୟାପିକା ଓ ଛାତ୍ରୀମାନଙ୍କ ସହ ଭାବବିନିମୟ କରିବେ । ସନ୍ଧ୍ୟାରେ ରାଇରଙ୍ଗପୁରସ୍ଥିତ ପୁଣ୍ୟେଶ୍ୱର ମହାଦେବ ମନ୍ଦିରର ନବନିର୍ମିତ ଗଣେଶ ମୂର୍ତ୍ତି ଅନାବରଣ କରିବା ପରେ ରାଇରଙ୍ଗପୁରରେ ରାତିଯାପନ କରିବେ ।

ଏହା ସହ ରାଷ୍ଟ୍ରପତିଙ୍କ ବିଭିନ୍ନ ସ୍ଥାନରେ ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା, ସଡ଼କପଥରେ ଯାତ୍ରା ବେଳେ କାରକେଡ ବ୍ୟବସ୍ଥା, ବିମାନ ଓ ହେଲିକପ୍ଟରର ସୁରକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ଆବଶ୍ୟକ ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ବିଭିନ୍ନ ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଆବଶ୍ୟକ ପାସ ବ୍ୟବସ୍ଥା, ଇଣ୍ଟରନେଟ ସୁବିଧା, ପ୍ରଚାର ପ୍ରସାର, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ସାମିଆନା ସହ ବସିବା ବ୍ୟବସ୍ଥା ଆଦି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

ଏହାପରେ ୨୪ତାରିଖ ସକାଳୁ ବାୟୁସେନା ବିମାନରେ ପୁରୀ ଅଭିମୁଖେ ଗସ୍ତ କରି ୧୦ଟା ୪୫ମିନିଟରେ ତାଳବଣିଆ ହେଲିପ୍ୟାଡ଼ରେ ଓହ୍ଲାଇବେ । ସେଠାରୁ ସିଧାସଳଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ୧୨ଟା ୧୦ମିନିଟରେ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଅପରାହ୍ନରେ ଭୁବନେଶ୍ୱର ଫେରି ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସନ୍ଧ୍ୟା ୬ଟାରେ ନବନିର୍ମିତ ବିଚାରବିଭାଗୀୟ କୋର୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ । ୨୪ତାରିଖରେ ରାଜଭବନରେ ରାତ୍ରିଯାପନ କରିବେ । ୨୫ତାରିଖ ସକାଳ ସାଢ଼େ ୯ଟାରେ ନିଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ୧୦ଟା ୨୦ମିନିଟରେ ଭୁବନେଶ୍ୱରରୁ ରାୟପୁର ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *