ଭରତପୁର ଥାନାର ୫ଜଣ ବାବୁ ଓ ବାବୁଆଣିଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଉତକ୍ଷିପ୍ତ  ହୋଇପଡ଼ିଲେ ପୁଲିସ ମହସଂଘର କିଛି ପାରିବାରବାବୁ । ଯାହା କେବେ ଦେଖାଯାଇନଥିଲା ତାହା ଦେଖାଇବାକୁ ଦୁଃସାହସ କଲେ ସେମାନେ । ସପ୍ତମ ବାଟେଲିୟନରେ ବୈଠକୀ କରି ମୋହନ ସରକାରଙ୍କୁ ହୁମକି ଦେଲେ । ତୁରନ୍ତ ନିଲମ୍ବନ ଆଦେଶ ନ ଉଠାଇଲେ, ଆନ୍ଦୋଳନର ଧମକ ମଧ୍ଯ ଶୁଣାଇଲେ। ସତେଯେମିତି ନବୀନ ବାବୁଙ୍କ ୨୪ ବର୍ଷ ଶାସନ କାଳରେ ଜମାରୁ କେଉଁ ପୋଲିସ ବାବୁ ନିଲମ୍ୱିତ ହୋଇନଥିଲେ । ମୋହନ ବାବୁ ଏଭଳି ପଦକ୍ଷେପ ନେଇ ପୁଲିସ ଜାତିର ସମ୍ମାନ ହାନି କଲେ । ଲୋକେ କିନ୍ତୁ ଧମକ ଦଉଥିବା ପୁଲିସ ବାବୁମାନଙ୍କର ଛିଛାକର କଲେ । ସେମାନେ ଭୁଲିଗଲେ ଯେ, ଭରତପୁରରେ ଯେଉଁ ନୂଆ ଥାନାବାବୁ ନିଯୁକ୍ତି ପାଇଥିଲେ ସିଏ ନବୀନ ଶାସନ‌କାଳରେ ନିଲମ୍ବିତ ହୋଇଥିଲେ ଓ ଜେଲ୍ ଯାଇଥିଲେ। ତେଣୁ ସମସ୍ତେ ଧରିନେଲେ ଯେ ପଛବୃଦ୍ଧିଆ କିଛି ପୁଲିସ ବାବୁ ଆଉ କାହା ଇସାରାରେ କାମ କରୁଛନ୍ତି ଓ ତାଙ୍କରି ନିର୍ଦ୍ଦେଶରେ ନୂଆ ସରକାରଙ୍କ ଉପରେ ଚାପ ପକାଇବା ମତଲବରେ ଅଛନ୍ତି ।

ସେ କଥା ତ ପୂରୁଣା ହେଲାଣି । ଏବେ ଭାବୁଚୁ ସେଇ ଆନ୍ଦୋଳନଜୀବୀ ପୂଲିସ ବାବୁମାନେ ଦ୍ବିତୀୟ ବୈଠକ ଦୂରନ୍ତ କରିବା ଉଚିତ । ପୁଣି ସେମାନେ ଡିଜିପିଙ୍କ ବିରୋଧରେ ବିଦ୍ରୋହ ବିଗୁଲ ଫୁଙ୍କିବା ଦରକାର । ଯାହା କୁହନ୍ତୁ ପଛେ, ଏଡିଜିପିଙ୍କ ଗୋଟିଏ ଚିଠି ମାଫିଆଗିରି କରୁଥିବା ପୁଲିସ ବାବୁ ମାନଙ୍କର ମୂଖା ଖୋଲିଦେଇଚି । କ’ଣ ନ ଲେଖିଲେ ଚିଠି ସତେ ! ସବୁ ପୋଲିସଙ୍କ କଥା ସେ କହିନାହାଁନ୍ତି । କିନ୍ତୁ ମୋଟାମୋଟି ଭାବେ ୨୪ ବର୍ଷର ଗୋଟିଏ ଶାସନରେ ଅନେକ ବାବୁଙ୍କର ଗୋଧି ଚମଡ଼ା ହୋଇଯାଇଚି। ଖଣି ଓ ଅନ୍ୟ ମାଫିଆଙ୍କର ଚାମଚାଗିରି କରି ସମୟ ଯାଇଚି ଅନେକ ବାବୁଙ୍କର । ସେମାନେ କ’ଣ ଭାବିଥିଲେ ଯେ ଶଙ୍ଖ ସରକାର ଓଲଟିଯିବ ? ରାଜ୍ୟରେ ପଦ୍ମ ଫୁଟିବ ‌? ଏପର୍ଯ୍ୟନ୍ତ ବି ସେହି ପୁରୁଣା ବଦଭ୍ୟାସ ଯାଇନାହିଁ । କେବଳ ପୁଲିସମାନଙ୍କର ନୁହେଁ, ଅଫିସରମାନେ ମଧ୍ୟ ଏବେ ବି ଭାବୁଚନ୍ତି ଯେ ପାଣ୍ଡିଆନ ସରକାର ଚାଲିଚି ।

ଏଡିଜିପିଙ୍କ ଚିଠି ପୂରୁଣା ବ୍ୟବସ୍ଥାର କଳଙ୍କିତ ଦିଗ ଆଡକୁ ଆଙ୍ଗୁଳି ଦେଖାଇ ସାରିଚି । ଠିକଣା ସମୟରେ ଆସିଛି ଏହି ଚିଠିଟି । ମୋହନ ସରକାର ମଧ୍ୟ ବଡ ଧରଣର ସଂସ୍କାର ପୋଲିସ ବ୍ୟବସ୍ଥାରେ ଆଣିବା ଦରକାର । ନିୟମିତ ବ୍ୟବଧାନରେ ଅଦଳବଦଳ ହେବା ମଧ୍ଯ ଜରୁରୀ । ଏମିତି ଧାରଣା ନହେଉ ଯେ, କ୍ଷମତା ବିନ୍ଦୁ ଚାରିପଟେ ଘୂରିଲେ କେହି ସେମାନଙ୍କର କିଛି କରିପାରିବେ ନାହିଁ । ଏଡିଜିପିଙ୍କ ଏବଂ ଡିଜିପିଙ୍କ ପରାମର୍ଶ ଦିହକୁ ନନେଇ ମନକୁ ନେଲେ ପୋଲିସ ବାବୁ ମାନେ ଲୋକଙ୍କର ଶ୍ରଦ୍ଧାଭାଜନ ହୋଇପାରିବେ ।

 

Leave a Reply

Your email address will not be published. Required fields are marked *