ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଆଜିଠୁ ଦଶ ଦଫା ଦାବି ପୂରଣ ନେଇ ଅହୋରାତ୍ର ଧାରଣାକୁ ଓହ୍ଲାଯାଉଛି । ଆଜିଠାରୁ ରାଜ୍ୟବ୍ୟାପୀ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶାର ସମସ୍ତ ନର୍ସିଂ କର୍ମଚାରୀ। ପୂର୍ବରୁ ନର୍ସିଂ କର୍ମଚାରୀମାନେ ୨ଦିନ ଜରୁରିକାଳୀନ ସେବା ଯୋଗାଇଥିଲେ କିନ୍ତୁ ଆଜିଠାରୁ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆରମ୍ଭ କରିଛନ୍ତି। ଆଜିକୁ ୪ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ସ୍ବାସ୍ଥ୍ୟସେବା। ଫଳରେ ସବୁ ସରକାରୀ ଡାକ୍ତରଖାନାରେ ରୋଗୀ ସେବା ବ୍ୟାପକଭାବେ ପ୍ରଭାବିତ ହୋଇଛି। ରୋଗୀମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି।

ଅନ୍ୟପଟେ ନର୍ସିଂ କର୍ମଚାରୀଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବା ପାଇଁ ଗତକାଲି ନିଷ୍ପତ୍ତି ନେଇଥିଲେ। ତେଣୁ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ନର୍ସିଂ କର୍ମଚାରୀ। ବିକ୍ଷୋଭରେ ପ୍ରାୟ ୧୫ ହଜାର ନର୍ସ ସାମିଲ ହୋଇଛନ୍ତି ।

ଦାବି ଅନୁଯାୟୀ; ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ସହ ସମସ୍ତ ଆର୍ଥିକ ସହାୟତା ଦାବି କରିଛି ସଂଘ । ଏହାସହ ବରିଷ୍ଠତା ଭିତ୍ତିରେ ପଦୋନ୍ନତି, CHO ପଦବୀରୁ ଫେରାଇ ଆଣି କ୍ୟାଡ଼ର ପୋଷ୍ଟ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସର ମାନଙ୍କୁ ସ୍ଥାୟୀ, ଠିକା ସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜିତ ହୋଇଥିବା ଆଦେଶ ପ୍ରତିହାର ପରି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ନର୍ସିଂ କର୍ମଚାରୀ ସଂଘ ।

Leave a Reply

Your email address will not be published. Required fields are marked *