ଆସନ୍ତା ୨୪ ତାରିଖରେ ବିଜେଡି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି। ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରିବା ସହ ବନ୍ଦ ଡାକରା ଦେଇଛି। ବନ୍ଦ ପାଳନ ପାଇଁ ଆଜି ଅପରାହ୍ନରେ ଶଙ୍ଖ ଭବନରେ ପ୍ରସ୍ତୁତି ବୈଠକ ଡକାଯାଇଥିଲା। ହେଲେ ବୈଠକରେ ଦଳୀୟ କର୍ମୀମାନେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ବୈଠକରେ ଦୁଇ ଜଣ କାଉନ୍‌ସିଲରଙ୍କୁ ବିରୋଧ କରି ଅନ୍ୟ କାଉନ୍‌ସିଲର ଓ କର୍ମକର୍ତ୍ତା ବୈଠକରୁ ଉଠି ଆସି ହୋ-ହଲ୍ଲା କରିଛନ୍ତି। ଏ ସମ୍ପର୍କରେ ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

କାଉନ୍‌ସିଲ୍‌ର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କୁ ଅନ୍ୟ କାଉନ୍‌ସିଲରମାନେ ତୀବ୍ର ବିରୋଧ କରିବାରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ସମ୍ପୃକ୍ତ ଦୁଇ କାଉନସିଲର ଦଳ ବିରୋଧୀ କାମ କରୁଥିବା ଅଭିଯୋଗ ଆଣି ଅନ୍ୟମାନେ ବୈଠକ ବର୍ଜନ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ବୈଠକରେ ହୋ-ହଲ୍ଲା ହୋଇଥିଲା। ଏପରିକି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଓ ବିଧାୟକ ଅରୁଣ ସାହୁଙ୍କୁ ଘଟଣାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ବୈଠକ ବର୍ଜନ କରିଥିବା କାଉନ୍‌ସିଲରଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *