ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍କୁଲ ନିକଟସ୍ଥ ଏକ ଟାୱାରର ପାଚେରୀ ପାଖରୁ ଜନୈକା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ସକାଳେ ନାବାଳିକା ଜଣଙ୍କ ଶୌଚ ହେବାକୁ ଯାଉଛି କହି ଯାଇଥିଲା। ହେଲେ ଆଉ ଘରକୁ ଫେରିନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ। ପରେ ସନ୍ଧ୍ୟାରେ ଟାୱାର ପାଚେରୀ ପାଖରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଖବରପାଇ ତେନ୍ତୁଳୀଖୁଣ୍ଟି ପୋଲିସ ରାତିରେ ଘଟଣାସ୍ଥଳରେ ପହଂଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।

ତେବେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ସ୍ଥାନୀୟ ଅଂଚଳର ୩ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ନ୍ୟାୟ ଦାବିରେ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ ନକଲେ ଶବ ବ୍ୟବଚ୍ଛେଦ କରାଯିବନି ବୋଲି ପରିବାର ଲୋକେ ଜିଦ ଧରିଛନ୍ତି।

ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତରା, ଅତିରିକ୍ତ ଏସ୍‌ପି ବଟକୃଷ୍ଣ ମିଶ୍ର ଏବଂ ନବରଙ୍ଗପୁର ଥାନାଧିକାରୀ, ତେନ୍ତୁଳିଖୁଣ୍ଟି ତହସିଲଦାର ରାଜକିଶୋର ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମଧ୍ୟ ପହଞ୍ଚିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *