କୃଷିଭବନ ସମ୍ମିଳନୀ କକ୍ଷରେ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ସବଡିଭିଜନ୍‌ରେ ଶୀତଳଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶୀତଳଭଣ୍ଡାର ସେବା ପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇ ନିଜ ନିଜ ସଂସ୍ଥାର ସେବା ବିଷୟରେ କହିଥିଲେ ।
 ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରତି ସବ୍‌ଡିଭିଜନ୍‌ରେ ଶୀତଳଭଣ୍ଡାର ଖୋଲିବା ପ୍ରସ୍ତାବ ଦିଆଯିବା ପରିପ୍ରେକ୍ଷୀରେ କୃଷି ବିଭାଗ ଦ୍ୱାରା ତ୍ୱରିତ ପଦକ୍ଷେପ ନିଆଯାଇଛି । ଏକ ବିଦ୍ୟୁତଚାଳିତ ଶୀତଳଭଣ୍ଡାର କମ୍ପାନୀ ଓ ଅନ୍ୟ ସୌରଚାଳିତ ଶୀତଳଭଣ୍ଡାର କମ୍ପାନି ନିଜର ସେବା, ଜ୍ଞାନକୌଶଳ, ଷ୍ଟୋରେଜ କାପାସିଟି, ଖର୍ଚ୍ଚ ଆକଳନ, ବିଶେଷତ୍ୱ ସମ୍ବନ୍ଧୀୟ ତଥ୍ୟ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଆଗରେ ଉପସ୍ଥାପନ କରିଥିଲେ । ସରକାର ତ୍ୱରିତ ଭାବେ ଶୀତଳଭଣ୍ଡାର ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନେଇଛନ୍ତି ଏବଂ ଏଥି ନିମନ୍ତେ ସବ୍‌ସିଡି ମଧ୍ୟ ସଂପୃକ୍ତ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯାଉଛି। ଏହାର ସୁଯୋଗ ନେବା ପାଇଁ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ। ପିପିପି ମୋଡ଼୍‌ରେ ଶୀତଳଭଣ୍ଡାରଗୁଡ଼ିକ କାର୍ଯ୍ୟକ୍ଷମ ହେବ ଏବଂ ଏହାର ଅଧିକତମ ଫାଇଦା କୃଷକମାନେ ପାଇବା ଆବଶ୍ୟକ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ। ବିଭାଗୀୟ ଅଧିକାରୀଙ୍କ ଏକ ଦଳ ଏହିସବୁ ସଂସ୍ଥାମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା କାର୍ଯ୍ୟକ୍ଷମ ଶୀତଳଭଣ୍ଡାର ପରିଦର୍ଶନ କରି ବିଭାଗକୁ ତଥ୍ୟ ପ୍ରଦାନ କରିବେ ଏବଂ ଏହି ତଥ୍ୟ ଆଧାରରେ ବିଭାଗ ଆଗାମୀ ନିଷ୍ପତ୍ତି ନେବ ବୋଲି ଡ. ପାଢ଼ୀ କହିଥିଲେ।
ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ୍‌ କଲ୍ୟାଣ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *