ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅ ମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସେମାନଙ୍କ ପାଇଁ ଥିଲେ ଆଦରର ‘ମୋହନ ଭାଇ’ ।

ଝିଅ, ମହିଳା ଓ କୁନି କୁନି ପିଲାମାନେ ଆସି ବନ୍ଦାପନା କରି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଉପହାର ମଧ୍ୟ ଦେଇଥିଲେ।

ଏହି ଅବସରରେ ଗଣ ମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଆଜି ମଧ୍ୟ ଗହ୍ମା ପୂର୍ଣ୍ଣମୀ ପର୍ବ। ଏହି ଅବସରରେ ରାଜ୍ୟର ସବୁ ଭଉଣୀ ମାନଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହିତ ସମସ୍ତେ ଯେପରି ସୁରକ୍ଷାର ସହିତ ରହିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ ଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ପରିବର୍ତ୍ତନର ଏ ସମୟରେ ସମସ୍ତେ ଯେପରି ଭଲରେ ରହିବେ ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏକ ଶାନ୍ତ, ସ୍ନିଗ୍ଧ ଓ ଆନନ୍ଦମୟ ପରିବେଶ ମଧ୍ୟରେ ସମ୍ପାଦିତ ହୋଇଥିଲା ଆଜିର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ। ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ସଂସ୍ଥାର ୫୦୦ ରୁ ଅଧିକ ଝିଅ ଓ ମହିଳା ମାନେ ମୁଖ୍ୟମନ୍ତ୍ରୀ ଙ୍କ ହାତ ରେ ରାକ୍ଷୀ ବାନ୍ଧିଥିଲେ।

ପ୍ରଥମେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିଜ ଭଉଣୀ ରାସମଣୀ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ସେ ବନ୍ଦାପନା କରି ମିଠା ଖୁଆଇ ରାକ୍ଷୀ ବାନ୍ଧିଥିଲେ। ଏହାପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ବରିଷ୍ଠ ନେତ୍ରୀ ପୂର୍ଣ୍ଣିମା କେରକେଟା ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଶ୍ରୀ ବାବୁ ସିଂହ ଅନ୍ୟ ପ୍ରମୁଖ ନେତା ମାନେ ଉପସ୍ଥିତ ଥିଲେ।

ଯେଉଁ ସଂସ୍ଥାର ପିଲାମାନେ ଆଜି ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେମାନେ ହେଲେ ସଫେଇ କର୍ମଚାରୀ(BMC), ବ୍ରହ୍ମପୁରର ଦିବ୍ୟାଙ୍ଗ ଅନୁଷ୍ଠାନ, ମାନସିକ ଅନଗ୍ରସର ପିଲାମାନେ, ଭୁବନେଶ୍ୱର ଏସ. ଓ . ଏସ ଭିଲେଜର ପିଲାମାନେ, ପ୍ରଜାପିତା ବ୍ରହ୍ମକୁମାରୀ, ମହିଳା କର୍ମଜୀବୀ ସାମ୍ବାଦିକ, ମହିଳା ସାମାଜିକ ଅନୁଷ୍ଠାନ, ମହିଳା ଚଳଚ୍ଚିତ୍ର ତାରକା, ଓକିଲ, ବିଜେପି ମହିଳା ମୋର୍ଚ୍ଚା, ସେବିକା ସମିତି, ଦୁର୍ଗା ବାହିନୀ, ମହିଳା କର୍ପୋରେଟର ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

ଏହା ସହିତ ତମାଣ୍ଡ, ଧର୍ମ ବିହାର, ପଞ୍ଚସଖା ନଗର, ୟୁନିଟ-୮, ବରମୁଣ୍ଡା, କଳିଙ୍ଗ ବିହାର, ନିଳାଦ୍ରୀ ବିହାର, ଜୟଦେବ ବିହାର, ଭୀମଟାଙ୍ଗି, ଆଦିମାତା କଲୋନୀ, ନିମାପଡ଼ା ଓ ୟୁନିଟ-୩ ପ୍ରଭୃତି ଅଞ୍ଚଳର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଗଣ, ଭୁବନେଶ୍ୱର ତପୋବନ ହାଇ ସ୍କୁଲ, କ୍ୟାପିଟାଲ ଗାର୍ଲସ ହାଇସ୍କୁଲ, ଶିରିପୁର ଆଶ୍ରମ ସ୍କୁଲ, ସାଇ ଇଣ୍ଟରନେସନାଲ ସ୍କୁଲ, ତକ୍ଷଶିଳା,ମଦରସ ସ୍କୁଲ,ଉତ୍କଳ ବିଶ୍ଵବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ମହର୍ଷି ମହିଳା ମହାବିଦ୍ୟାଳୟ, ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟ ଆଦିର  ଛାତ୍ରୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *