ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଦାୟିତ୍ୱ ନେବା ପରେ ଆକ୍ସନ ମୋଡ଼କୁ ଆସିଛନ୍ତି। ଆଜି ସନ୍ଧ୍ୟାରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ପାଇଁ ସମସ୍ତ ସଚିବଙ୍କ ସହଯୋଗ କାମନା କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାର ସୁନାମ ରହିଛି।

ନବ ଗଠିତ ସରକାରଙ୍କ ନିର୍ବାଚନ ଇସ୍ତାହାରକୁ ଆଖି ଆଗରେ ରଖି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଯୋଜନାର କାର୍ଯ୍ୟକାରିତା ପାଇଁ ଯେପରି ଫଳପ୍ରଦ ପ୍ରୟାସ ରହିବ, ସେ ସଂପର୍କରେ ସେ ବହୁ ଗଠନମୂଳକ ପରାମର୍ଶ ଦେଇଥିଲେ । ବୈଠକରେ ଆଗାମୀ ବଜେଟ ଉପସ୍ଥାପନ, ପୁରୀ ରଥଯାତ୍ରାର ସୁପରିଚାଳନା, ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ସନ୍ଧ୍ୟାରେ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଛନ୍ତି।

ବିଭିନ୍ନ ବିଭାଗର କାର୍ଯ୍ୟରେ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ଛୋଟ ଛୋଟ ସମସ୍ୟା ରହୁଥିଲେ କାର୍ଯ୍ୟକୁ ବିଳମ୍ବିତ ନକରି ଶୀଘ୍ର ଶେଷ କରାଯିବା, କାର୍ଯ୍ୟରେ ସୃଜନଶୀଳତା, ସ୍ୱଚ୍ଛତା ଓ ସୁପ୍ରଶାସନ ଦିଗରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ।

By Nirvay

Leave a Reply

Your email address will not be published. Required fields are marked *