କୁଏଟ୍ର ଅଲ୍-ମନ୍ଗଫ୍ ସିଟିସ୍ଥିତ ଏକ ବିଲ୍ଡିରେ ଗତକାଲି ନିଆଁ ଲାଗିବାରୁ ୪୫ ଜଣ ଭାରତୀୟ ଶ୍ରମିକ ପ୍ରାଣ ହରାଇଛନ୍ତି। ଅଗ୍ନିକାଣ୍ଡରେ ଦୁଇଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼। କଟକ ଜିଲା ତିଗିରିଆ ଥାନା କରଡ଼ାପଲ୍ଲୀ ଗ୍ରାମର ମହମ୍ମଦ ଜହୁର(୩୩)। ସେ ଦକ୍ଷିଣ କୁଏଟ୍ର ଅଲ୍-ମନ୍ଗଫ୍ ସହରର ଏକ କମ୍ପାନୀରେ ସିବିଲ ଲାବୋରୋଟାରି ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ। ବୁଧବାର ଭୋରରେ ହଠାତ୍ ଅଗ୍ନିକାଣ୍ଡ ଘଟିବାରୁ ଜହୁର ପ୍ରବଳ ଧୁଁଆରେ ଅଣନିଃଶ୍ୱାସୀ ହୋଇ ଗୁରୁତର ହୋଇଯାଇଥିଲେ। ଦମକଳ ବାହିନୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସେହିପରି ଆଉଜଣେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗ୍ରାମର ସନ୍ତୋଷ ଗୌଡ଼ (୩୫)। ସେ ନିଜର ପରିବାର ପ୍ରତିପୋଷଣ ପାଇଁ କୁଏଟ୍ ଯାଇଥିଲେ। ଗତ ଦୁଇ ବର୍ଷ ଧରି ସେଠାରେ କାମ କରୁଥିଲେ। ସେ ହାଇଓ୍ବେ ନାମକ ଏକ ଶପିଂମଲ୍ରେ କାର୍ଯ୍ୟ କରୁଥିଲେ।
କୁଏଟ୍ରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଆଜି ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। କେନ୍ଦ୍ର ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ଏକ ଏକ୍ସ ପୋଷ୍ଟ ଜରିଆରେ ଏହାକୁ ନିଶ୍ଚିତ କରିଥିଲେ।
ବିମାନଟି କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଏର୍ନାକୁଲମ ରେଞ୍ଜ ଡିଜି ପୁଟା ବିମଲାଦିତ୍ୟ କହିଛନ୍ତି, ‘ମୃତଦେହ ଗ୍ରହଣ କରିବା ପାଇଁ ଆମେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛୁ। ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛୁ। ମୃତଦେହ ମିଳିବା ମାତ୍ରେ ଯଦି ସେମାନେ ଯାଆନ୍ତି ସେମାନଙ୍କୁ ଉପଯୁକ୍ତ ଢଙ୍ଗରେ ନିଆଯିବ ୨୩ଟି ମୃତଦେହ କେରଳର, ୭ଟି ତାମିଲନାଡୁର ଏବଂ ଗୋଟିଏ କର୍ନାଟକର ଓ ଓଡ଼ିଶାର ଦୁଇଟି।
ସୂଚନାଯୋଗ୍ୟ, ବୁଧବାର ଦକ୍ଷିଣ କୁଏଟ୍ଣ ମଙ୍ଗଫ ଅଞ୍ଚଳରେ ଥିବା ବହୁ ମହଲା କୋଠାରେ ଅଗ୍ନିକାଣ୍ଡରେ ୪୯ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଏହି ଆପାର୍ଟମେଣ୍ଟରେ ପ୍ରାୟ ୧୯୫ ଜଣ ଶ୍ରମିକ ଥିଲେ। ସେମାନେ ଶୋଇଥିବା ଅବସ୍ଥାରେ ରୋଷେଇ ଘରୁ ଏହି ନିଆଁ ଲାଗିଥିବା କୁହାଯାଉଛି। ନିଆଁ ବ୍ୟାପିବା ପରେ ପଞ୍ଚମ ମହଲାରେ ରହୁଥିବା ଅନେକ ବ୍ୟକ୍ତି ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ। ଯେଉଁମାନେ ଡେଇଁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି। ସେହିପରି ଅଧିକାଂଶ ଧୂଆଁ ଲାଗି ଅଣ ନିଶ୍ୱାସ ହୋଇ ପ୍ରାଣ ହରାଇଛନ୍ତି।
ପିଟିଆଇ ଅନୁଯାୟୀ,କୁଏଟ୍ର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଶେଖ ଫାହଦ ଅଲ୍-ୟୁସୁଫ୍ ଅଲ-ସାବ କହିଛନ୍ତି, ଅଧିକାରୀମାନେ ୪୮ଟି ମୃତଦେହ ଚିହ୍ନଟ କରିଛନ୍ତି, ସେଥିମଧ୍ୟରୁ ୪୫ ଜଣ ଭାରତୀୟ ଏବଂ ତିନୋଟି ଫିଲିପାଇନ୍ସ। ଅବଶିଷ୍ଟ ମୃତଦେହକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି। ଅଧିକାରୀ କହିଛନ୍ତି, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ଭାରତୀୟ କେରଳର।