ପାଣିପାଗ ବିଭାଗର ଆକଳନ ଅନୁସାରେ, ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅକବାନ’ । ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟି ଭୀଷଣ ବାତ୍ୟା ‘ଅକବାନ’ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରୁଛି । ଆଜି ସକାଳ ୫ଟା ୩୦ ମିନିଟ୍ର ପାଣିପାଗ ବିଭାଗର ପର୍ଯ୍ୟବେକ୍ଷଣ ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି ଏହି ଭୀଷଣ ବାତ୍ୟା । ବର୍ତ୍ତମାନ ଏହା ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଉପରେ ୧୪.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୫.୩ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିଛି । ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍ଠାରୁ ୪୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, ଓଡ଼ିଶାର ଗୋପାଳପୁରଠାରୁ ୫୩୦ କିଲୋମିଟର ଦକ୍ଷିଣରେ ଏବଂ ପୁରୀଠାରୁ ୫୯୦ କିଲୋମିଟର ଦକ୍ଷିଣରେ ରହିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ଅକବାନ’ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏହା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଓ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ବିଶେଷକରି ଗୋପାଳପୁରର ପୂର୍ବ ଦିଗରେ ଅତି ନିକଟରେ ଏହା ସ୍ଥଳଭାଗ ଛୁଇଁପାରେ । ସ୍ଥଳଭାଗ ଅତିକ୍ରମ ସମୟରେ ବାତ୍ୟାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି । ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ବାସିନ୍ଦାଙ୍କୁ ପାଣିପାଗ ସମ୍ପର୍କିତ ସରକାରୀ ସୂଚନା ଉପରେ ନଜର ରଖିବା ସହ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। Post navigation Rs 24,150 Crore Supplementary Budget Presented: ୨୦୨୬-୨୭ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ