ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅତ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ୮ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି ଏବଂ ଖୋର୍ଦ୍ଧା ଜିଲ୍ଲାରେ ଏହି କଟକଣା ଲାଗୁ ହୋଇଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ବ୍ୟତୀତ ଅନ୍ୟ ସମସ୍ତ ୭ଟି ଜିଲ୍ଲାରେ ୧୮ରୁ ୧୯ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ। ସେହିପରି ଖୋର୍ଦ୍ଧା ଓ ମାଲକାନଗିରି ଜିଲ୍ଲାରେ ୧୯ ଏବଂ ୨୦ ତାରିଖ ଦିନ ଛୁଟି ରହିବ ବୋଲି ଜଣାପଡିଛି। ଏହି ସମୟ ମଧ୍ୟରେ ସମସ୍ତ ସ୍କୁଲ, କଲେଜ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ। ବିଶେଷ କରି ଶିଶୁ ବାଟିକାଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠପଢ଼ା ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ, ବାତ୍ୟାଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି। ବର୍ତ୍ତମାନ ଛୁଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ତୁରନ୍ତ ନିଜ କାର୍ଯ୍ୟରେ ଯୋଗଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। Post navigation Odisha Assembly: ବିଧାନସଭାରେ ହଟ୍ଟଗୋଳ: ଆସନ୍ତାକାଲି ସକାଳ ୧୦:୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ