ଦୀର୍ଘ ୫ ଦିନ ଧରି ନିଖୋଜ ଥିବା ବୌଦ୍ଧ ସହରର କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ତନ୍ତଗାଡ଼ ଗାଁ ଜଙ୍ଗଲରୁ ତାଙ୍କର ମୃତଦେହ ମିଳିଛି।

ସୂଚନା ଅନୁଯାୟୀ; ବୌଦ୍ଧ ସହର ଗାନ୍ଧୀ ଛକ ଅଞ୍ଚଳର ଯୁବ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ଗତ ନଭେମ୍ବର ୧୨ ତାରିଖରୁ ନିଖୋଜ ଥିଲେ। ଦିନ ଗଡ଼ିବା ସହ ତାଙ୍କର କୌଣସି ଖବର ନମିଳିବାରୁ ପରିବାରବର୍ଗ ଚିନ୍ତାରେ ପଡ଼ିଥିଲେ।

ନିଖୋଜ ହେବାର ୫ ଦିନ ପରେ ତନ୍ତଗାଡ଼ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ୟବସାୟୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ କେଉଁ କାରଣରୁ ଏବଂ କିଏ ଏହି ଜଘନ୍ୟ କାଣ୍ଡ ଘଟାଇଲା, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ଏହି ଘଟଣାରେ ବୌଦ୍ଧ ପୋଲିସ ଏବଂ ରେଢ଼ାଖୋଲ ପୋଲିସ ପକ୍ଷରୁ ମିଳିତ ତଦନ୍ତ ଆରମ୍ଭ କରାଯାଇଛି। ପୂର୍ବରୁ ନିଖୋଜ ମାମଲାର ଖୋଜଖବର ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ତଦନ୍ତ ଶେଷ ହେବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଥିବା ବେଳେ, ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଉଭୟ ବୌଦ୍ଧ ଓ ରେଢ଼ାଖୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଚାପା ଉତ୍ତେଜନା ଦେଖାଦେଇଛି।

Leave a Reply

Your email address will not be published. Required fields are marked *