ଘୋଡ଼ାହାଡ଼ ଜଳଭଣ୍ଡାରରୁ ଯେକୌଣସି ମୁହୂର୍ତ୍ତରେ ଜଳ ନିଷ୍କାସନ କରାଯାଇପାରେ । ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି । ତେଣୁ ନଦୀକୂଳିଆ ଗ୍ରାମବାସୀଙ୍କୁ ନଦୀ ଓ ନାଳ ମଧ୍ୟକୁ ଯିବା କିମ୍ବା ଗୃହପାଳିତ ପଶୁଙ୍କୁ ନଦୀ ମଧ୍ୟକୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସହ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି । ଫଳରେ ନଭେମ୍ବର ୧୫ରୁ ୧୭ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ଘୋଡ଼ାହାଡ଼ ଜଳଭଣ୍ଡାରରେ ମୋଟ ଜଳଧାରଣ କ୍ଷମତାର ପ୍ରାୟ ୮୮.୯୦ ପ୍ରତିଶତ ଜଳ ଗଚ୍ଛିତ ରହିଛି। ଜଳସ୍ତର ୧୧୬.୭୨ ମିଟର ରହିଥିବା ବେଳେ ସମ୍ଭାବ୍ୟ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ୧୦୦ ପ୍ରତିଶତ ଅର୍ଥାତ୍ ୧୧୭.୮୦ ମିଟରରେ ପହଞ୍ଚିବାର ଆଶଙ୍କା ରହିଛି । ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ଯେକୌଣସି ସମୟରେ ଅତିରିକ୍ତ ଜଳ ନିଷ୍କାସନ କରାଯାଇପାରେ । ଏଥିପାଇଁ ଜଳଭଣ୍ଡାରର ନିମ୍ନ ଅବବାହିକାରେ ଥିବା ସମସ୍ତ ନଦୀକୂଳିଆ ଗ୍ରାମବାସୀ ଓ ସାଧାରଣ ଲୋକଙ୍କୁ ଆଗୁଆ ସତର୍କ କରାଯାଇଛି । ନିଜର ଧନଜୀବନର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । Post navigation BJD Slams Government Over Child Malnutrition: ଶିଶୁ କଲ୍ୟାଣକୁ ଅଣଦେଖା କରି କେବଳ ଉତ୍ସବ ପାଳୁଛନ୍ତି ସରକାର: ବିଜେଡି