ଆସନ୍ତା ୨୯ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ। ତାଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଜାତୀୟ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଓ ସମୀକ୍ଷା କରାଯିବ। ଏହି ବୈଠକର ମୁଖ୍ୟ କାର୍ଯ୍ୟସୂଚୀ ମଧ୍ୟରେ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଦୁଷ୍କର୍ମ ମାମଲାର ତ୍ୱରିତ ବିଚାର ଏବଂ ଫଇସଲା ପାଇଁ ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ କାର୍ଯ୍ୟକାରୀ କରିବା ପ୍ରସଙ୍ଗ ସର୍ବାଗ୍ରେ ରହିବ। ଏହାଛଡ଼ା ପ୍ରତ୍ୟେକ ଗ୍ରାମର ନିର୍ଦ୍ଦିଷ୍ଟ ପରିଧି ମଧ୍ୟରେ ବ୍ୟାଙ୍କିଙ୍ଗ ସୁବିଧା, ଜରୁରୀକାଳୀନ ସହାୟତା ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ପୁଷ୍ଟିସାଧନ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ସହରାଞ୍ଚଳ ଯୋଜନା ଓ ସମବାୟ ବ୍ୟବସ୍ଥା ଭଳି ସାଧାରଣ ଆଞ୍ଚଳିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ମଧ୍ୟ ଆଲୋଚନାର ପରିସରଭୁକ୍ତ ହେବ। ଏହି ଦିନିକିଆ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ସଦସ୍ୟ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟାଧୀନ ଆନ୍ତଃରାଜ୍ୟ ପରିଷଦ ସଚିବାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ବୈଠକ ଆୟୋଜିତ ହେଉଛି। Post navigation President, Vice-President to Visit Odisha: ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି