ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ନଭେମ୍ବର ୧୬ ତାରିଖରେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୪ ଓ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଏହି ଗସ୍ତ ପାଇଁ ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଥିଲା ।

ଉପରାଷ୍ଟ୍ରପତି ନଭେମ୍ବର ୧୬ ତାରିଖ ସକାଳେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବେ । ମେଫେୟାର ସାନକ୍ଚୁଆରୀ କନଭେନସନ୍ ହଲ୍‌ରେ ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବେ । ପରେ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାର (ଏକାଡେମିକ୍ ବିଲ୍ଡିଂ) ଉଦ୍‌ଘାଟନ କରି ଅପରାହ୍ଣରେ ନୂଆଦିଲ୍ଲୀ ଫେରିଯିବେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୪ ତାରିଖ ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚି ଲୋକଭବନ ଯିବେ । ସେହିଦିନ ସନ୍ଧ୍ୟାରେ କଟକରେ ଆୟୋଜିତ ‘ବାଲିଯାତ୍ରା କଟକ ଉତ୍ସବ-୨୦୨୬’ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପରେ ଭୁବନେଶ୍ୱର ଫେରି ରାତ୍ରିଯାପନ କରିବେ । ନଭେମ୍ବର ୨୫ ତାରିଖ ସକାଳେ ସେ ଡା. ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଜାତୀୟ ହୋମିଓପାଥିକ୍ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେବେ । ଅପରାହ୍ଣରେ ନୂଆଦିଲ୍ଲୀ ଫେରିଯିବେ ।

ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ରଖି ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତି ଶେଷ କରିବାକୁ କହିଥିଲେ । ଗସ୍ତସ୍ଥଳରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା, ଜୀବନରକ୍ଷାକାରୀ ଉପକରଣ ଓ ଜରୁରୀକାଳୀନ ଚିକିତ୍ସା ଦଳ ମୁତୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଦୂରଦର୍ଶନ ସହ ସମନ୍ୱୟ ରଖି ଗଣମାଧ୍ୟମ ପ୍ରଚାର, ସରକାରୀ ଫଟୋଗ୍ରାଫି ଓ ପାସ୍ ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଥିଲା । ଭୁବନେଶ୍ୱର ଓ କଟକରେ କାରକେଡ୍ ଯାତାୟାତ ସମୟରେ ଟ୍ରାଫିକ୍ ପରିଚାଳନା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

By Nirvay

Leave a Reply

Your email address will not be published. Required fields are marked *