ଭଦ୍ରକ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏକ ଲୁହା ବୋଝେଇ ଟ୍ରେଲର୍ ଏବଂ ପୋଲିସ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପୁରୀ ଜିଲ୍ଲାର ଦୁଇ ଜଣ ପୋଲିସଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ; ଗତକାଲି ବିଳମ୍ବିତ ରାତିରେ ବାସୁଦେବପୁର-ଧାମରା ରାସ୍ତାର ବିରସ ଛକ ନିକଟରେ ଧାମରା ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍ ସହିତ ପୋଲିସ ଗାଡ଼ିଟିର ମୁହାଁମୁହିଁ ଧକ୍କା ହୋଇଥିଲା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ଏକ ପୋଲିସ ଗାଡ଼ି କୌଣସି ଘଟଣାର ତଦନ୍ତ ସାରି ନାୟକାଣିଡିହି ଥାନା ଅଞ୍ଚଳରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ପୋଲିସ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା ଏବଂ ଗାଡ଼ିରେ ଥିବା କର୍ମଚାରୀମାନେ ଛିଟିକି ରାସ୍ତା ଉପରେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଆଉ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ତୁରନ୍ତ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।

ମୃତକ ଦୁଇ ଜଣ ହେଲେ କନଷ୍ଟେବଳ ପ୍ରଶାନ୍ତ ବାଗ ଏବଂ ହିମାଂଶୁ ରାୟ । ସେହିପରି ଆହତ ହୋଇଥିବା ଅଧିକାରୀମାନେ ହେଲେ ଏଏସ୍‌ଆଇ ଦିବ୍ୟ ରଞ୍ଜନ ସାହୁ , ହୋମଗାର୍ଡ଼ ପ୍ରଶାନ୍ତ ଜେନା ଏବଂ ଭ୍ୟାନ୍‌ର ଡ୍ରାଇଭର୍। ଏହି ସମସ୍ତ ପାଞ୍ଚ ଜଣ ପୋଲିସ କର୍ମଚାରୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *