ଓଡ଼ିଶାରେ ଏକ ବଡ଼ଧରଣର ଦୁର୍ନୀତି ମାମଲାର ପଦାଫୋଟ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରାଣା ୩ କୋଟିରୁ ଅଧିକ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ହେରଫେର ମାମଲା ସାମ୍ନାକୁ ଆସିବା ପରେ ସେ ଦୀର୍ଘଦିନ ଧରି ଫେରାର ଥିଲେ ଏବଂ ଶେଷରେ ଭିଜିଲାନ୍ସ ଟିମ୍ ଡିଜିଟାଲ୍ ଟ୍ରାକିଂ ଜରିଆରେ ତାଙ୍କୁ ଅନୁଗୁଳରୁ କାବୁ କରିବାରେ ସଫଳ ହୋଇଛି।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଶଶିକାନ୍ତ କ୍ରମାଗତ ଭାବେ ଦୁଇଟି ବ୍ଲକରେ ଏଷ୍ଟାବ୍ଲିସମେଣ୍ଟ ସେକ୍ସନ ପରିଚାଳନା କରୁଥିବା ସମୟରେ ଏହି ଜାଲିଆତି କରିଥିଲେ। ସେ ରାଜକନିକା ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ୧,୪୬,୬୮,୧୧୮ ଟଙ୍କା ଏବଂ ଡେରାବିଶ ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ୧,୫୬,୯୭,୭୨୫ ଟଙ୍କା ହଡ଼ପ କରିଥିଲେ। ଏହିପରି ଭାବେ ସେ ମୋଟ ୩,୦୩,୬୫,୮୪୩ ଟଙ୍କା ବେଆଇନ ଭାବେ ଆତ୍ମସାତ କରିଥିବା ଜଣାପଡ଼ିଛି।

ଠକେଇର ତରିକା ମଧ୍ୟ ଅତ୍ୟନ୍ତ ଚାଞ୍ଚଲ୍ୟକର ଥିଲା। ଅଭିଯୁକ୍ତ ଜଣକ HRMS ପୋର୍ଟାଲରେ ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀମାନଙ୍କ ନାମରେ ମିଥ୍ୟା ଦରମା, ବକେୟା, ଗ୍ରାଚ୍ୟୁଇଟି ଏବଂ ପେନସନ ଆଦିର ଜାଲ୍ ବିଲ୍ ପ୍ରସ୍ତୁତ କରି ବିତରଣ ରେକର୍ଡରେ ହେରଫେର କରିଥିଲେ। ପ୍ରକୃତ ହିତାଧିକାରୀଙ୍କୁ ପାଣ୍ଠି ପ୍ରଦାନ କରିବା ବଦଳରେ ସେ କେନ୍ଦ୍ରାପଡ଼ାସ୍ଥିତ SBI, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ ବ୍ୟାଙ୍କରେ ଥିବା ନିଜର ଏବଂ ନିଜ ପରିବାର ତଥା ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତାକୁ NEFT ମାଧ୍ୟମରେ ସେହି ଟଙ୍କା ସ୍ଥାନାନ୍ତର କରିଥିଲେ।

ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ ୪୨ ଏବଂ ୪୩/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ସଂଶୋଧନ ଆଇନ, ୨୦୧୮ ଏବଂ ଭାରତୀୟନ୍ୟାୟ ସଂହିତା ର ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *