କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ମେରାଇନ୍ ଥାନା ଭିତରେ ମା’ ଓ ପୁଅଙ୍କୁ ନିର୍ମମ ମାଡ଼ ଏବଂ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି। ପୁଲିସ ଡିଜି ବିନୟତୋଷ ମିଶ୍ର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପାରିବାରିକ ବିବାଦର ସମଧାନ ନିମନ୍ତେ ଥାନାକୁ ଯାଇଥିବା ବେଳେ ଜଣେ ମା’ ଏବଂ ତାଙ୍କ ପୁଅଙ୍କୁ ଥାନା ପରିସରରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ତଦନ୍ତରୁ ଜଣାପଡିଛି ଯେ ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା କେବଳ ଦୁର୍ବ୍ୟବହାର କରିନଥିଲେ, ବରଂ ଘଟଣାର ପ୍ରମୁଖ ପ୍ରମାଣ ଭାବେ ରହିଥିବା ସିସିଟିଭି ଫୁଟେଜ୍‌କୁ ମଧ୍ୟ ଜାଣିଶୁଣି ଡିଲିଟ୍ ବା ହଟାଇ ଦେଇଥିଲେ।

ଏଭଳି ଆଚରଣ କର୍ତ୍ତବ୍ୟରେ ଅବହେଳା, ପଦବୀର ଅପବ୍ୟବହାର ଏବଂ ପ୍ରମାଣ ନଷ୍ଟ ଅନ୍ତର୍ଭୁକ୍ତ ବୋଲି ଦର୍ଶାଇ ପୁଲିସ ଡିଜି ବିନୟତୋଷ ମିଶ୍ର ଆଗାମୀ ୪୫ ଦିନ ଭାତ୍ରେ ତଦନ୍ତ ପ୍ରକ୍ରିୟା ଶେଷ କରି ରିପୋର୍ଟ ଦାଖଲ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମ୍ବେଦନଶୀଳ ଘଟଣା ପରେ ରାଜ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ପୁଲିସର କାର୍ଯ୍ୟଶୈଳୀକୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *