ଓଡ଼ିଶାର କୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମରେ ପ୍ରଳୟଙ୍କରୀ ବନ୍ୟା ଏବଂ ଏହାର ଅପରିଚାଳନାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଗଞ୍ଜାମ ଜିଲ୍ଲାରେ ବନ୍ୟା ବିପର୍ଯ୍ୟୟ ଏବଂ ଏହାର ଠିକ୍ ମୁକାବିଲା କରାଯାଇ ନପାରିବା ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ସେ ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ୍, ପୁନର୍ବାସ ଏବଂ ଏହି ମାନବକୃତ ସଙ୍କଟ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଗତ ନଭେମ୍ବର ୭ ତାରିଖରେ ସେ ନିଜେ ହିଞ୍ଜିଳି, ସେରଗଡ଼, ଆସିକା ଏବଂ ସୋରଡ଼ା ଆଦି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ଦୁଃଖଦୁର୍ଦ୍ଦଶା ଆଖିରେ ଦେଖିବା ପରେ ଏହି ମର୍ମାନ୍ତୁଦ ସ୍ଥିତି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଛନ୍ତି।

ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଅକ୍ଟୋବର ୨୩ ରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲେ ହେଁ, ସରକାରଙ୍କ ଦୂରଦୃଷ୍ଟିହୀନତା ଯୋଗୁଁ ବର୍ଷା ଆରମ୍ଭ ହେଲା ପରେ ଡ୍ୟାମ୍‌ରୁ ପାଣି ଛଡ଼ାଯାଇଥିଲା। ଲୋକଙ୍କୁ ଆଗୁଆ କୌଣସି ସୂଚନା ନ ଦେଇ ହଠାତ୍ ଗେଟ୍ ଖୋଲିବା ଫଳରେ ସୃଷ୍ଟି ହୋଇଥିବା ଏହି ମାନବକୃତ ସଙ୍କଟ ରାଜ୍ୟର ଜନସାଧୁରଣଙ୍କୁ ବହୁ ପଛକୁ ଟାଣି ନେଇଛି। ଉଦ୍ଧାର କାର୍ଯ୍ୟରେ ମଧ୍ୟ ପ୍ରବଳ ବିଳମ୍ବ ହୋଇଥିବାରୁ ହଜାର ହଜାର ଲୋକ ଦିନ ଦିନ ଧରି ଖାଦ୍ୟ ଓ ପାଣି ବିନା ବନ୍ଦୀ ହୋଇ ରହିବାକୁ ବାଧ୍ୟ ହୋଇଥିଲେ।

ଏଥି ସହିତ ବନ୍ୟା ପରେ ପରେ ଯେଉଁ ତ୍ୱରିତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ହେବା କଥା, ତାହା ହୋଇନଥିଲା। ଫଳରେ ଲୋକମାନେ ଦିନ ଦିନ କାଳ ଖାଦ୍ୟ ଓ ପାଣି ବିନା ବନ୍ଦୀ ହୋଇ ରହିଥିଲେ।

ଓଡ଼ିଶାରେ ବିଜେଡ଼ି ସରକାର ସମୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସରପଞ୍ଚ, ପି.ଆର୍.ଆଇ ସଦସ୍ୟ ଏବଂ ମିଶନ ଶକ୍ତିକୁ ନେଇ ଯେଉଁ ସଫଳ ଗୋଷ୍ଠୀଭିତ୍ତିକ ବ୍ୟବସ୍ଥା ଗଢ଼ିଉଠିଥିଲା, ବର୍ତ୍ତମାନର ସରକାର ତାହାକୁ ଅବହେଳା କରିଥିବା ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି।

ଯଦି କ୍ଷତିଗ୍ରସ୍ତ ଲୋକଙ୍କୁ ଠିକ୍ ସମୟରେ ସଠିକ୍ କ୍ଷତିପୂରଣ ଏବଂ ନ୍ୟାୟ ନମିଳେ, ତେବେ ଦିଲ୍ଲୀ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *