ଚଳିତବର୍ଷ ଦୀପାବଳି ଆନନ୍ଦ ଓ ଉଲ୍ଲାସର ପର୍ବ ହୋଇଥିଲେ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଏବଂ ମର୍ମନ୍ତୁଦ ସାଜିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଖବର ଅନୁଯାୟୀ, ଦୀପାବଳି ରାତିରେ ବାଣ ଫୁଟାଇବା ଏବଂ ବିଭିନ୍ନ ଦୁର୍ଘଟଣା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହରରେ ସବୁଠାରୁ ଅଧିକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। କଟକ ବଡ଼ ମେଡିକାଲ ଏବଂ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ବାଣ ଫୁଟାଇ ହାତ, ଗୋଡ଼, ଆଖି ଓ ମୁହଁ ପୋଡ଼ି ହୋଇଯାଇଥିବା ବହୁ ରୋଗୀଙ୍କ ପ୍ରବଳ ଭିଡ଼ ଜମିଥିଲା। ବିଶେଷ କରି ଛୋଟ ପିଲାମାନେ ଅଧିକ ମାତ୍ରାରେ ଆହତ ହୋଇଥିବା ଜଣାପଡ଼ିଛି। ଏହାଛଡ଼ା ବାଣରୁ ବାହାରିଥିବା ସ୍ପାର୍କ କାରଣରୁ ବିଭିନ୍ନ ସ୍ଥାନରେ ଠିଆ ହୋଇଥିବା ଗାଡ଼ି, ବିଦ୍ୟୁତ୍ ତାର ଏବଂ ଆଖପାଖ ଅଞ୍ଚଳରେ ନିଆଁ ଲାଗିଯାଇ ବ୍ୟାପକକ୍ଷତି ଘଟିଛି। ତେବେ ଦମକଳ ବାହିନୀର ତତ୍ପରତା ଯୋଗୁଁ ଏକ ବଡ଼ଧରଣର ବିପର୍ଯ୍ୟୟରୁ ସହରଗୁଡ଼ିକ ରକ୍ଷା ପାଇଯାଇଛି।

ଅନ୍ୟପକ୍ଷରେ ରାଉରକେଲା ସହରର କୌଶଲ୍ୟା ନଗର ଅଞ୍ଚଳରେ ଘଟିଥିବା ଏକ ହୃଦୟବିଦାରକ ଘଟଣାରେ ୧୪ ବର୍ଷର ନାବାଳକ ଚିନ୍ମୟ ନିଜ ଭଉଣୀଙ୍କ ସହ ଟ୍ୟୁସନ୍ ଶିକ୍ଷକଙ୍କ ଘରକୁ ଯାଉଥିବା ସମୟରେ ରାସ୍ତାରେ ଏକ କାଚ ବୋତଲ ଭିତରେ ରଖାଯାଇଥିବା ବାଣ ହଠାତ୍ ବିସ୍ଫୋରିତ ହୋଇଥିଲା। ବୋତଲର ଖଣ୍ଡବିଖଣ୍ଡିତ କାଚ ଛିଟ୍‌କି ଆସି ଦୁଇ ଭାଇଭଉଣୀଙ୍କୁ ଆଘାତ କରିଥିବାବେଳେ ଚିନ୍ମୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସେହିପରି ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଜଳୁଥିବା ଦୀପରୁ ନିଆଁ ବ୍ୟାପି ଏକ ରନ୍ଧନ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଯାଇଛି। ଏହି ଭୟଙ୍କର ବିସ୍ଫୋରଣରେ ୧୦ରୁ ଅଧିକ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟଜନକ ଥିବାରୁ ସେମାନଙ୍କୁ ତତକ୍ଷଣାତ୍ ଉଚ୍ଚ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ସମୟରେ ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୀପାବଳିର ଖୁସିକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି। ଏକ ଶବ ସତ୍କାର ପାଇଁ ଯାଉଥିବା ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଶୋକର ପରିବେଶ ମଧ୍ୟରେ ଏପରି ଦୁର୍ଘଟଣା ପରିବାର ବର୍ଗଙ୍କୁ ବଜ୍ରାଘାତ ସଦୃଶ ହୋଇଛି।

ବାଲେଶ୍ୱର, କଳାହାଣ୍ଡି ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ସମାନ ପ୍ରକାରର ଦୁଃଖଦ ଖବର ଆସିଛି। କେଉଁଠି ହାତରେ ବାଣ ଫାଟି ପାପୁଲି ନଷ୍ଟ ହୋଇଯାଇଛି ତ କେଉଁଠି ଦୀପର ନିଆଁ ଲୁଗାରେ ଲାଗି ଯୁବତୀମାନେ ଗୁରୁତର ଭାବେ ପୋଡ଼ିଯାଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପ୍ରତିବର୍ଷ ଏଭଳି ପର୍ବପର୍ବାଣୀରେ ସାମାନ୍ୟ ଅସାବଧାନତା ଓ ସଚେତନତାର ଅଭାବ କାରଣରୁ ଅନେକ ନିରୀହ ଜୀବନ ବିପନ୍ନ ହେଉଛି।

ଡାକ୍ତର ଏବଂ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ ଲୋକଙ୍କ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ବଢ଼ିବାରେ ଲାଗିଛି, ଯାହାକି ଆଜିର ସମାଜ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *